କରୋନାରେ ପାକିସ୍ତାନୀ କ୍ରିକେଟର ସରଫରାଜଙ୍କ ମୃତ୍ୟୁ…!!!
ଲାହୋର, ୧୪|୦୪: ପାକିସ୍ତାନର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ଜାଫର ସରଫରାଜ କରୋନା ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଜାଫର ସୋମବାର ବିଳମ୍ବିତ ରାତ୍ରରେ ଲେଡି ରେଡିଂ ହସ୍ପିଟାଲରେ ପ୍ରାଣ ତ୍ୟାଗ କରିଛନ୍ତି । କରୋନା ଭାଇରସ ପାଇଁ ଗତ ମାସରେ ପାକିସ୍ତାନୀ ଅଲମ୍ପିଆନ୍ ଆଜମ ଖାନ ୯୫ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କରୋନା ଏବେ ପାକରେ ୯୬ଟି ମୁଣ୍ଡ ନେଇଛି ।

୫୦ ବର୍ଷୀୟ ଜାଫର ପାକିସ୍ତାନର ପ୍ରଥମ କ୍ରିକେଟର ଯିଏ କରୋନା ଭାଇରସ ପାଇଁ ପ୍ରାଣ ହରାଇଛନ୍ତି । ଗତ ମଙ୍ଗଳବାର ଦିନ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଗତ ୩ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ ।ସେ ୧୯୮୮ରୁ ୧୯୯୪ ମଧ୍ୟରେ ପ୍ରଥମ ଶ୍ରେଣୀ ଓ ୧୯୯୦ରୁ ୧୯୯୨ ମଧ୍ୟରେ ଲିଷ୍ଟ୍-ଏ କ୍ରିକେଟ ଖେଳିଛନ୍ତି । ସେ ପେଶାଓ୍ୱାର ପାଇଁ ୧୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୬୧୬ ରନ କରିଥିଲେ । ୨୦୦୦ରେ ମଧ୍ୟ ସେ ପେଶାଓ୍ୱାରର ସିନିଅର ଓ ଅଣ୍ଡର-୧୯ ଦଳର କୋଚ ଥିଲେ ।