ମନେପଡ଼ନ୍ତି: ତାତ୍ୟା ଟୋପେ
‘ସିପାହି ବିଦ୍ରୋହ’ର ଅନ୍ୟତମ ପ୍ରମୁଖ ମହାନାୟକ ଥିଲେ ମରାଠା ସେନାପତି ରାମଚନ୍ଦ୍ର ପାଣ୍ତୁରଙ୍ଗ ରାୱ ୟୱଲକର। ସେ ‘ତାତ୍ୟା ଟୋପେ’ ଭାବେ ଜଣାଶୁଣା। ସେ ଥିଲେ ନାନା ସାହେବଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ପରାମର୍ଶଦାତା। ଏକାଧିକ ରଣକ୍ଷେତ୍ରରେ ବ୍ରିଟିସ୍ମାନଙ୍କୁ ପରାଜିତ କରିଥିଲେ।
୧୮୧୪ରେ ନାଶିକ ନିକଟବର୍ତ୍ତୀ ୟେଓ୍ୱଲା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଟୋପେ ଜନ୍ମ ହୋଇଥିଲେ। ତାଙ୍କ ପିତା ପେଶୱା ଦ୍ବିତୀୟ ବାଜୀରାୱଙ୍କ ଦରବାରରେ କାମ କରୁଥିଲେ। ଟୋପେ ସତର ବର୍ଷ ବୟସରେ ଇଷ୍ଟ୍ ଇଣ୍ତିଆ କ˚ପାନିର ବଙ୍ଗ ରେଜିମେଣ୍ଟ୍ ଅଧୀନସ୍ଥ ଏକ ତୋପ କାରଖାନାରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ‘ତୋପ’ କାରଖାନାରେ କାମ କରିଥିବାରୁ ସେ ‘ଟୋପେ’ ଭାବେ ପରିଚିତ ହୋଇଥିଲେ। ଅନ୍ୟ ଏକ ଉପାଖ୍ୟାନ ଅନୁଯାୟୀ ପେଶୱା ତାଙ୍କୁ ଏକ ‘ଟୋପି’ ଉପହାର ଦେଇଥିଲେ। ‘ଟୋପି’ଟିକୁ ଏକ ନିଆରା ଶୈଳୀରେ ପିନ୍ଧୁଥିବାରୁ, ଲୋକେ ତାଙ୍କୁ ‘ଟୋପେ’ ଡାକିବା ଆରମ୍ଭ କରିଥିଲେ। ବଙ୍ଗ ରେଜିମେଣ୍ଟ୍ ଛାଡ଼ିବା ପରେ ସେ ପେଶୱାଙ୍କ ଅଧୀନରେ କାମ କରିଥିଲେ।

ସିପାହି ବିଦ୍ରୋହ ସମୟରେ ଗ୍ବାଲିୟର ସେନାର ନେତୃତ୍ବ ନେଇ କାନପୁରକୁ ବ୍ରିଟିସ୍ ସେନାଠାରୁ ମୁକ୍ତ କରିଥିଲେ। ତାହା ପରେ ଝାଁସୀର ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ଗ୍ବାଲିୟର ଦଖଲ କରିଥିଲେ। ତେବେ, ସେମାନଙ୍କର ବିଜୟ ଦୀର୍ଘସ୍ଥାୟୀ ହୋଇପାରି ନ ଥିଲା। ୧୮୫୭ ଜୁଲାଇ ୧୬ରେ ଜେନ୍ରାଲ୍ ହାଭ୍ଲକ୍ଙ୍କ ସେନା କାନପୁର ଦଖଲ କରିବାରେ ସମର୍ଥ ହୋଇଥିଲା ଏବ˚ ନାନା ସାହେବ ଓ ଟୋପେ ପଳାୟନ କରିଥିଲେ। ତାହା ପରଠାରୁ ନାନା ସାହେବ ନିଖୋଜ ହୋଇଯାଇଥିଲେ। ତେବେ ଟୋପେ ୧୮୫୯ ଏପ୍ରିଲ୍ ପର୍ଯ୍ୟନ୍ତ ବ୍ରିଟିସ୍ ସେନା ସହ ଏକାଧିକ ଯୁଦ୍ଧ ଲଢ଼ିଥିଲେ। ମୁଖ୍ୟତଃ ତତ୍କାଳୀନ କେତେକ ପରାକ୍ରମୀ ଭାରତୀୟ ରାଜା-ମହାରାଜାଙ୍କ ସହଯୋଗ-ସମର୍ଥନ ନ ମିଳିବାରୁ ଟୋପେଙ୍କୁ ସଫଳତା ମିଳି ନ ଥିଲା। ଶେଷରେ ନରୱରର ରାଜା ମାନ ସି˚ହ, ତାଙ୍କୁ ବ୍ରିଟିସ୍ ସେନା ହାତରେ ଧରାଇଦେଇଥିଲେ। ଶୋଇଥିବା ବେଳେ, ୭ ଏପ୍ରିଲ୍ ୧୮୫୯ରେ ତାଙ୍କୁ ବନ୍ଦୀ କରାଯାଇଥିଲା। ଏକ ସାମରିକ ଅଦାଲତରେ ବିଚାର କରି ଏଗାର ଦିନ ପରେ ୧୮ ଏପ୍ରିଲ୍ରେ ଶିବପୁରୀ(ମଧ୍ୟ ପ୍ରଦେଶ)ତାଙ୍କୁ ଫାଶୀ ଦିଆଯାଇଥିଲା।
ତେବେ, ରାଜା ମାନ ସି˚ହ ଦେଶଭକ୍ତ ଥିଲେ ଏବ˚ କୌଣସି ସମୟରେ ପ୍ରକୃତ ତାତ୍ୟା ଟୋପେଙ୍କୁ ବ୍ରିଟିସ୍ ସେନା ହାତରେ ଧରାଇଦେଇ ନ ଥିଲେ କି ବିଶ୍ବାସଘାତକତା କରି ନ ଥିଲେ ବୋଲି ମଧ୍ୟ ଏକାଧିକ ଲିଖିତ ବିବରଣୀ ଅଛି। ଗଜେନ୍ଦ୍ର ସି˚ହ ସୋଲଙ୍କୀଙ୍କ ଦ୍ବାରା ରଚିତ ‘ତାତ୍ୟା ଟୋପେ କୀ କଥିତ ଫାଶୀ’ ଓ ରାମଚନ୍ଦ୍ର ବିଲ୍ଲୌର ରଚିତ ‘ହମାରା ଦେଶ’ ପୁସ୍ତକ ଅନୁଯାୟୀ ବ୍ରିଟିସ୍ ଆଖିରେ ଧୂଳି ଦେବା ପାଇଁ ରାଜା ମାନ ସି˚ହ ଓ ତାତ୍ୟା ଏକ ଯୋଜନା କରିଥିଲେ। ଉକ୍ତ ଯୋଜନା ଅନୁଯାୟୀ ତାତ୍ୟାଙ୍କର ଜଣେ ବିଶ୍ବସ୍ତ ସହଚର, ତାଙ୍କ ଭଳି ବେଶ ହୋଇ ସ୍ବଇଚ୍ଛାରେ ଧରାଦେଇଥିଲେ। ପ୍ରକୃତ ତାତ୍ୟାଙ୍କୁ କୌଣସି ବ୍ରିଟିସ୍ କର୍ମଚାରୀ ଚିହ୍ନି ନ ଥିବାରୁ, ବିଚାର ବେଳେ କିଛି ଜଣା ପଡ଼ି ନ ଥିଲା ଏବ˚ ତାତ୍ୟାଭକ୍ତ ଜଣକ ହସିହସି ଫାଶୀ ଖୁଣ୍ଟରେ ଚଢ଼ି, ବଳିଦାନ ଦେଇଥିଲେ। ତାହା ପରେ ତାତ୍ୟା ବେଶ୍ କିଛି ବର୍ଷ ଅଜ୍ଞାତବାସରେ ରହିଥିଲେ ଏବ˚ ନିୟମିତ ବ୍ୟବଧାନରେ ନିଜ ଗ୍ରାମକୁ ଯାଉଥିଲେ। ତାଙ୍କର ସ୍ବାଭାବିକ ମୃତ୍ୟୁ ଘଟିଥିଲା ଏବ˚ ବିଧି ଅନୁଯାୟୀ ଅନ୍ତିମ ସ˚ସ୍କାର ହୋଇଥିଲା। ବ୍ରିଟିସ୍ ଐତିହାସିକ ଏଡ୍ୱାର୍ଡ୍ ଜନ୍ ଥ˚ପ୍ସନ୍ ମଧ୍ୟ ‘ଦ ଅଦର୍ ସାଇଡ୍ ଅଫ୍ ଦ ମେଡାଲ୍’ (୧୯୨୬ରେ ପ୍ରକାଶିତ) ପୁସ୍ତକରେ ପ୍ରକୃତ ତାତ୍ୟାଙ୍କ ଫାଶୀ ଉପରେ ସ˚ଦେହ ପ୍ରକଟ କରିଥିବାର ଉଲ୍ଲେଖ ଅଛି। ମଧ୍ୟ ପ୍ରଦେଶର ରାଜ୍ୟ ଅଭିଲେଖାଗାରରେ ପ୍ରକୃତ ତାତ୍ୟା ଫାଶୀ ପାଇ ନ ଥିବା ସ˚ପର୍କିତ ଦୁଇଟି ପତ୍ର ରୂପକ ପ୍ରମାଣ ମହଜୁଦ ଥିବା ଜଣାଯାଏ।