ଲକ୍-ଡାଉନ୍ ଦୁଃଖ.. ବର୍ଡ଼ରରେ ପିତା, ମଣ୍ଡପରେ ଝିଅ…
କରୋନା ମହାମାରିର ମୁକାବିଲା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଛି ଲକ୍-ଡାଉନ୍। ଏହାକୁ ପାଳନ କରୁଛନ୍ତି ଦେଶର ପ୍ରାୟ ଲୋକ। ଗୁରୁଦାୟିତ୍ୱ ଉଠାଉଛନ୍ତି କିଛି ବର୍ଗ, ଯାହାଙ୍କ ମଧ୍ୟରୁ ଦେଶର ଯବାନ ଅନ୍ୟତମ । ଡ୍ୟୁଟି ପାଇଁ ସେମାନେ ନିଜ ଘର, ପରିବାରଠାରୁ ଦୂରରେ ରହୁଥିବା ବେଳେ ନିକଟରେ ଜଣେ ସୈନିକ ପିତା ନିଜ ଝିଅର କନ୍ୟାଦାନ କରିବାର ସୌଭାଗ୍ୟ ହରାଇଛନ୍ତି ।
ଉତ୍ତରକାଶୀର ଚିନ୍ୟାଲୀସୌଡରେ ରହୁଥିବା ବିଜୟରାଜ ପରମାର ଆସାମ ରାଇଫଲରେ ଚାକିରି କରୁଥିବା ସେ ଏବେ ତ୍ରିପୁରା ବର୍ଡରରେ ନିୟୋଜିତ ଅଛନ୍ତି । ଲକ୍-ଡାଉନ୍ ଯୋଗୁଁ ଝିଅ ଅନାମିକାର ବିବାହରେ ସେ ପହଞ୍ଚିପାରିନଥିଲେ ।ସେପଟେ ସମସ୍ତ ରୀତି ନୀତି ସରିଥିବାରୁ ପରିବାର ଲୋକଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ବିଜୟଙ୍କ ଅନୁପସ୍ଥିତିରେ ତାଙ୍କ ସାନ ଭାଇ ଝିଅର କନ୍ୟାଦାନ କରିଥିଲେ । ଝିଅକୁ ଭିଡିଓ କଲ ମାଧ୍ୟମରେ ବିଦା କରିଥିଲେ ପିତା । ଭିଡିଓ କଲରେ ପିତାଙ୍କ ଝିଅ-ବିଦା ଦେଖି ଉପସ୍ଥିତ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା । ଲକ୍-ଡାଉନ୍ ଯୋଗୁଁ ବିଜୟଙ୍କର ଆସିବା ସମ୍ଭବ ହୋଇନଥିଲା, କିନ୍ତୁ ନିଜ ଝିଅର କନ୍ୟାଦାନ ନ କରିପାରିଥିବାରୁ ସାରା ଜୀବନ ତାଙ୍କ ମନରେ ଦୁଃଖ ରହିବ ବୋଲି ସେ କହିଛନ୍ତି ।