Sunday, October 25, 2020
Home ବ୍ୟକ୍ତିତ୍ୱ ଉତ୍କଳଗୌରବ’ ମଧୁସୂଦନ...ଆଜି ଜନ୍ମ ଜୟନ୍ତୀ..

ଉତ୍କଳଗୌରବ’ ମଧୁସୂଦନ…ଆଜି ଜନ୍ମ ଜୟନ୍ତୀ..

ମନେପଡ଼ନ୍ତି: ‘ଉତ୍କଳଗୌରବ’ ମଧୁସୂଦନ

‘ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା। ସ୍ବତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ। ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ତ୍ୟାଗ, ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ। ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଏକ ପତିତ ଜାତିର ଉଦ୍ଧାର ପାଇଁ କାର୍ଯ୍ୟ କରିଥିଲେ ‘ଉତ୍କଳଗୌରବ’। ତାଙ୍କ ଜାତିପ୍ରେମ, ସ୍ବାଭିମାନ ଏବ˚ ସୁଦୂରପ୍ରସାରୀ ଚିନ୍ତାଧାରା ସାମସମୟିକ କାଳଠାରୁ ଢେର‌୍‌ ଆଗରେ ଥିଲା। ତାଙ୍କ ଚିନ୍ତା-ଚେତନାକୁ ସଦା-ସର୍ବଦା ଆଚ୍ଛାଦିତ କରିରଖିଥିଲା ମୁଖ୍ୟତଃ ଦୁଇଟି ପ୍ରସଙ୍ଗ- ଓଡ଼ିଶା ଏବ˚ ଓଡ଼ିଆ।

ଇ˚ରେଜୀରେ ଏମ୍‌ଏ କରିଥିବା ସେ ପ୍ରଥମ ଓଡ଼ିଆ। ତାହା ଛଡ଼ା ସେ ମଧ୍ୟ ପ୍ରଥମ ଓଡ଼ିଆ ବିଏଲ୍‌, ପ୍ରଥମ ସଫଳ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବ୍ୟବସ୍ଥାପକ(୧୮୯୬ରେ ପ୍ରଥମ ଥର ପାଇଁ ବଙ୍ଗ ବ୍ୟବସ୍ଥାପକ ସଭାର ସଭ୍ୟ ହୋଇଥିଲେ। ତାହା ପରେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭା। ଏହି ଦୁଇ ସଭାର ସଭ୍ୟ ଭାବେ ସେ ୧୯୨୩ ଯାଏ ସକ୍ରିୟ ଥିଲେ।), ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ ଏବ˚ ପ୍ରଥମ ଓଡ଼ିଆ ମନ୍ତ୍ରୀ। ‘ବାରିଷ୍ଟରୀ’ ଉତ୍ତୀର୍ଣ୍ଣ ହୋଇ ନ ଥିଲେ ହେଁ ଜନମାନସରେ ସେ ‘ମଧୁ ବାରିଷ୍ଟର‌୍‌’। ଉଚ୍ଚ-ଶିକ୍ଷିତ ସାହେବମାନେ ତାଙ୍କୁ ଡାକୁଥିଲେ ‘ମିଷ୍ଟର‌୍‌ ଦାସ୍‌’। ମଧୁବାବୁଙ୍କ ପୂର୍ବ-ପୁରୁଷ ଖୋର୍ଦ୍ଧାରୁ କଟକ ଅନ୍ତର୍ଗତ ସତ୍ୟଭାମାପୁର ଆସିଥିଲେ। ତାଙ୍କ ପୂର୍ବ-ପୁରୁଷଙ୍କ ସାଙ୍ଗିଆ ପ୍ରଥମେ ‘ମଲ୍ଲ’ ଥିଲା। ପରେ ‘କାନଗୋଇ’, ‘ରାଉତରା’, ‘ଚୌଧୁରୀ’ ଓ ‘ଦାସ’ ହୋଇଥିଲା। ତେଣୁ, ସେ ପରିହାସରେ ନିଜକୁ କହୁଥିଲେ ‘ଥୁଣ୍ଟା ଦାସ’। ଜୋତା କାରଖାନାରେ କାମ କରୁଥିବାରୁ କହୁଥିଲେ- ‘ପଣ୍ତିତମାନେ ମୋତେ ମୋଚି ଶିରୋମଣି ଉପାଧି ଦେଇପାରନ୍ତି।’ ମଧୁବାବୁ ହୁକାପ୍ରିୟ ଥିଲେ। କୁକୁର ପାଳିବାକୁ ଭଲପାଉଥିଲେ। ତାଙ୍କ ଘରେ ସାହେବୀ ଢଙ୍ଗରେ ଭୋଜନ ପ୍ରସ୍ତୁତ ହେଉଥିଲା। ତେବେ, ଭୋଜି-ଭାତରେ ଓଡ଼ିଆ ରନ୍ଧା ସେ ପସନ୍ଦ କରୁଥିଲେ। ଢଗ-ଢ଼ମାଳି ବୋଲିବାରେ ସେ ପାରଙ୍ଗମ ଥିଲେ।

ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସେ ଆଜୀବନ ସ˚ଗ୍ରାମ କରିଥିଲେ। ଏଥି ଲାଗି ସେ ଗଠନ କରିଥିଲେ ‘ଉତ୍କଳ ସମ୍ମିଳନୀ’। ଏହି ଅନୁଷ୍ଠାନ ସ˚ପର୍କରେ ସେ କହିଥିଲେ- ‘‘ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ; ତୋ’ର ପ୍ରାଣ ବିନ୍ଦୁ ମିଶାଇଦେ, ଭାଇ! ଡେଇଁପଡ଼ି ସିନ୍ଧୁ ନୀରେ।’’ ପ୍ରତ୍ୟେକ ଉତ୍କଳୀୟ ଜାତି ପାଇଁ ପାଞ୍ଚ ମିନିଟ୍‌ ଚିନ୍ତାକରିବାକୁ ସେ ସର୍ବଦା କହୁଥିଲେ। ୧୮୮୨ରେ ସେ ପ୍ରତିଷ୍ଠା କରିଥିଲେ- ‘ଉତ୍କଳ ସଭା’। ୧୯୦୩ରେ ରମ୍ଭାର ଐତିହାସିକ ବୈଠକ ପରେ ତାଙ୍କରି ଉଦ୍ୟମରେ ହିଁ ପ୍ରତିଷ୍ଠିତ ହୋଇଥିଲା- ‘ଉତ୍କଳ ସମ୍ମିଳନୀ’, ଯାହାକୁ ପ୍ରଥମଟିର ପରିବର୍ତ୍ତିତ ଓ ପରିବର୍ଦ୍ଧିତ ସ˚ସ୍କରଣ କହାଯାଇପାରେଏବ˚ ସେଥି ସହିତ ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ ଏକତ୍ର କରିବା କାର୍ଯ୍ୟ ସତ୍ବର ହୋଇଥିଲା। ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ ଏକତ୍ର ଓ ଏକ ଶାସନାଧୀନ କରିବା ସହ ସ୍ଥାନୀୟ ଶିଳ୍ପ, କଳା, କୃଷି ଓ ବାଣିଜ୍ୟ ଆଦିର ବିକାଶ, ଭାଷା ଏବଂ ସ˚ସ୍କୃତିର ସୁରକ୍ଷା ତଥା ଜାତୀୟତାବୋଧର ପ୍ରସାର ଥିଲା ‘ଉତ୍କଳ ସମ୍ମିଳନୀ’ର ଲକ୍ଷ୍ୟ। ଏକ ମହାନ୍‌ ଜାତି ଗଠନ କାର୍ଯ୍ୟରେ ଆନ୍ତରିକ ଶ୍ରମର ଆବଶ୍ୟକତାକୁ ସେ ବୁଝୁଥିଲେ। ‘ଉତ୍କଳ ସମ୍ମଳନୀ’ ଓଡ଼ିଆଙ୍କ ମଧ୍ୟରେ ଏକତା ଆଣିଥିଲା; ଓଡ଼ିଆ ଜାତୀୟତାବାଦର ଉଦ୍ରେକ ହୋଇଥିଲା। ଜମିରେ କୃଷକର ମାଲିକାନା ଓ ନାରୀ ଶିକ୍ଷା ସପକ୍ଷରେ ସେ ମତ ଦେଉଥିଲେ। ନିଜ ଚିନ୍ତାଧାରାକୁ ନିର୍ଭୟରେ ପ୍ରକାଶ କରିବା ସହ ଯଥାସ˚ଭବ କାର୍ଯ୍ୟରେ ପରିଣତ କରୁଥିଲେ ମଧୁବାବୁ। ସାମାଜିକ ଏବ˚ ଅର୍ଥନୈତିକ ପ୍ରଗତି ବିନା ରାଜନୈତିକ ପ୍ରଗତି ଯେ ଅସମ୍ଭବ ଓ ମୂଲ୍ୟହୀନ ସେ ବୁଝିଥିଲେ।

ଜାତିଗଠନ ଦିଗରେ ଓଡ଼ିଶାବାସୀଙ୍କୁ ଅନୁପ୍ରାଣିତ କରିବା ପାଇଁ କବିତା ଲେଖୁଥିବା ମଧୁବାବୁ ସର୍ବଦା କହୁଥିଲେ, ଜାତି ହେଉଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପରି ବିରାଟ ଓ ମହାନ୍‌। ଜାତିରୂପକ ନନ୍ଦିଘୋଷକୁ ଆଗକୁ ଆଗକୁ ନେବା ପାଇଁ ସମସ୍ତେ ନିଃସ୍ବାର୍ଥପର ଭାବେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିଚାଲିବା ଏକାନ୍ତ ଆବଶ୍ୟକ। ତାଙ୍କର କେତେକ ଭାବ-ଉଦ୍ରେକକାରୀ କବିତା: ‘ମାଆ ମାଆ ବୋଲି କେତେ ମୁଁ ଖୋଜିଲି, ମାଆକୁ ପାଇଲିନାହିଁ; ଭାଇ ଭାଇ ବୋଲି କେତେ ମୁଁ ଭାଳିଲି, ନ ଦେଲେ ଉତ୍ତର କେହି।’’; ‘‘ଗୋଟିଏ ସନ୍ତାନ ଗୋଟିଏ ସ୍ବରରେ ଜନନୀ ଜନନୀ ଡାକ; ତୃଷ୍ଣାରେ କାତର, ଗଗନକୁ ଚାହିଁ, ଯେସନେ ଡାକେ ଚାତକ।’’; ‘‘ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ବଳିତ କର, ସ୍ବାର୍ଥକୁ ଦିଅ ଆହୁତି; ସ୍ବାର୍ଥମେଧ ଯଜ୍ଞେ ଚାରି ଆଡ଼େ ନାଚ, ଛାତିକୁ ମିଶାଇ ଛାତି।’’; ‘‘ଜାତି ଇତିହାସ ଜାତିର ନିର୍ଝର, ତହୁଁ ବହେ ସଦା ଜାତି ପ୍ରାଣଧାର; ସେ ଧାରରୁ ନୀର ପିଉଛି ଯେ ନର, ନିଶ୍ଚୟ ସେ ହେବ ଜାତି କର୍ମବୀର।’’; ‘‘ଭୂମିକ˚ପ ହେବ ଧରଣୀ ଫାଟିବ, ଉଠିବେ ସହସ୍ର ଭୁଜା; ସେହି ତୋର ମାତା ସେହି ତୋର ଭ୍ରାତା; କର ସେହି ପାଦ ପୂଜା।’’; ‘‘ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ; ପୂରୁବ ଗୌରବ ପୂରୁବ ସାହସ, ପଡ଼ିବ କି କେବେ ମନେ!’’; ‘‘ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭୀରୁ; ତୋହରି ଜନନୀ ରୋଦନ କରିଲେ, କହିବାକୁ କିମ୍ପା ଡରୁ।’’; ‘‘ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ବାର୍ଥକୁ ସାରଥି କଲେ; ଟାଣେ କିରେ ଗାଡ଼ି ଦାନାର ତୋବଡ଼ା, ଘୋଡ଼ା ମୁହେଁ ବନ୍ଧା ଥିଲେ।’’

ତାଙ୍କ ଜୀବନ ଏ ରାଜ୍ୟର ଅର୍ଦ୍ଧ ଶତାବ୍ଦୀର ଜାତୀୟ ଜୀବନ। ଆଇନ ବ୍ୟବସାୟରୁ ସେ ବହୁ ଅର୍ଥ ଉପାର୍ଜନ କରିଥିଲେ। ଆଉ ଅମାପ ଧନ ଓଡ଼ିଆଙ୍କ ବିକାଶ ଲାଗି ମୁକ୍ତ ହସ୍ତରେ ବ୍ୟୟ କରିଥିଲେ। ଜୀବନର ଶେଷ କାଳରେ ଆର୍ଥିକ ଦୁର୍ଗତି ଭୋଗିଥିଲେ। କହୁଥିଲେ: ‘ଦେଶ ମୋତେ ଚିହ୍ନିଲାନାହିଁ। ମଧୁଦାସ ଫକିର ହୋଇଗଲା।’ ରୋଗଶଯ୍ୟାରେ କହିଥିଲେ: ‘ମୁଁ ତ ଯାଉଛି, କହିଦେବ ଜଣେ ଓଡ଼ିଆ ଥିଲା।’ ଶିଳ୍ପୋନ୍ନତ ଇ˚ଲଣ୍ତ୍‌ ଢାଞ୍ଚାରେ ସେ ଓଡ଼ିଶା ଗଢ଼ିବାକୁ ଉଦ୍ୟମ କରିଥିଲେ। ଏଥି ପାଇଁ ସେ ବସାଇଥିଲେ ‘ଉତ୍କଳ ଟାନେରି’ ଏବ˚ ‘ଓଡ଼ିଶା ଆର୍ଟ‌୍‌ ୱେର୍‌ ୱାର୍କ‌୍‌ସ’। ଏହି ଦୁଇ କାରଖାନା ଏକଦା ଭଲ ବ୍ୟବସାୟ କରୁଥିଲେ ହେଁ ପରେ ଋଣ ଭାରରେ ବୁଡ଼ି, ମଧୁବାବୁଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଥିଲା। ପରିସ୍ଥିତି ନ ସୁଧୁରିବାରୁ ସେ ନିଜକୁ ଦେବାଳିଆ ଘୋଷିତ କରିବାକୁ ବାଧ୍ୟ ହୋଇଥିଲେ। ଋଣ ପରିଶୋଧ ପାଇଁ ଘର ନିଲାମ ହୋଇଯାଇଥିଲା। ପ୍ରାୟ ଚାରି ବର୍ଷ ପରେ ସେ ଦେବାଳିଆ ଘୋଷଣାରୁ ମୁକ୍ତ ହୋଇଥିଲେ। ଏହା ପରେ ସେ ମାତ୍ର ତିନି ବର୍ଷ ବଞ୍ଚିପାରିଥିଲେ। ୧୯୩୪ ଫେବ୍ରୁଆରି ୪ ତାରିଖରେ ଛୟାଅଶୀ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ୧୮୪୮ ଏପ୍ରିଲ୍‌ ୨୮ରେ ସତ୍ୟଭାମାପୁରରେ ଜନ୍ମ ହୋଇଥିଲେ, ଏହି ଯୋଗଜନ୍ମା ଓଡ଼ିଆ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...