ମନେପଡ଼ନ୍ତି: କାର୍ଲ୍ ମାର୍କ୍ସ
ଯୌବନରେ ଧର୍ମ-ବିଶ୍ବାସୀ ତଥା ସଚ୍ଚୋଟ ପ୍ରୋଟେଷ୍ଟାଣ୍ଟ୍ କିରସ୍ତାନ ଥିଲେ ହେଁ ଉତ୍ତର ବୟସରେ ସେ କହିଥିଲେ, ‘ଧର୍ମ…ଲୋକଙ୍କ ଅଫିମ।’ ସେ ଥିଲେ ସାମ୍ୟବାଦର ପ୍ରଚାରକ-ପ୍ରସାରକ। ଶ୍ରମିକ-ବିଦ୍ରୋହୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଲେଖିଥିଲେ- ‘ଶ୍ରମିକମାନେ ଶୃଙ୍ଖଳ ବିନା ଅନ୍ୟ କିଛି ହରାଇବାରନାହିଁ। ସେମାନଙ୍କୁ ବିଶ୍ବ ବିଜୟ କରିବାକୁ ହେବ। ବିଶ୍ବର ଶ୍ରମିକ ଏକ ହୁଅ।’ ଏ ଭଳି ବୈପ୍ଳବିକ ଚିନ୍ତାଧାରା ସହ ଧର୍ମକୁ ଅସମ୍ମାନ କରୁଥିବାରୁ ୧୮୪୫ରେ ତାଙ୍କୁ ପାରିସ୍ରୁ ବିତାଡ଼ିତ କରାଯାଇଥିଲା ଏବ˚ ସେ ଜୀବିକା ଓ ଆଶ୍ରୟ ହରାଇ ଅନ୍ତରଙ୍ଗ ବନ୍ଧୁ ଫ୍ରେଡ୍ରିଚ୍ ଏଂଗେଲ୍ସଙ୍କ ସହାୟତାରେ କିଛି ଦିନ ଚଳିବାକୁ ବାଧ୍ୟ ହୋଇଥିଲେ। ତାହା ପରେ ଇ˚ଲଣ୍ତ୍ ତାଙ୍କୁ ଗ୍ରହଣ କରିଥିଲା। ୧୮୪୭ରେ ସେ ଲଣ୍ତନ୍ରେ ଗଢ଼ିଥିଲେ ‘କମ୍ୟୁନିଷ୍ଟ୍ ଲିଗ୍’ ଏବ˚ ବର୍ଷକ ପରେ ପ୍ରକାଶିତ ହୋଇଥିଲା ‘କମ୍ୟୁନିଷ୍ଟ୍ ମେନିଫେଷ୍ଟୋ’। ରାଷ୍ଟ୍ର ସ˚ପର୍କିତ ପାରମ୍ପରିକ ମତସମୂହକୁ ସେଥିରେ ସେ ତୀବ୍ର ବିରୋଧ କରି ବୁଦ୍ଧିଜୀବୀ ମହଲରେ ଚହଳ ସୃଷ୍ଟି କରିଥିଲେ। ତାଙ୍କର ଅର୍ଥନୈତିକ ଓ ରାଜନୈତିକ ମତବାଦ ଏବ˚ ଚିନ୍ତାକଳ୍ପମାନ ପରେ ‘ଦାସ୍ କ୍ୟାପିଟାଲ୍’ ଭାବେ ପ୍ରକାଶିତ ହୋଇଥିଲା। ସେ ହେଉଛନ୍ତି, କାର୍ଲ୍ ହେନ୍ରିଚ୍ ମାର୍କ୍ସ।

୧୮୧୮ ମେ ୫ରେ ପ୍ରୁସିୟା(ଆଧୁନିକ ଜର୍ମାନି) ଅନ୍ତର୍ଗତ ଟ୍ରାୟର୍ରେ ମାର୍କ୍ସ ଜନ୍ମ ହୋଇଥିଲେ। ତାଙ୍କ ପୂର୍ବପୁରୁଷ ଇହୁଦି ଥିଲେ। ବର୍ଲିନ୍ ଓ ବନ୍ ବିଶ୍ବବିଦ୍ୟାଳୟରେ ଆଇନ ପଢ଼ିବା ପରେ ମାର୍କ୍ସ, ଜିନା ବିଶ୍ବବିଦ୍ୟାଳୟରେ ପିଏଚ୍ଡି କରିଥିଲେ। କାରଣ ତାଙ୍କ ସମୟରେ ଜିନାରୁ ଡକ୍ଟରେଟ୍ ପାଇବା ଅପେକ୍ଷାକୃତ ସହଜ ଥିଲା। ଦର୍ଶନ ପ୍ରତି ଆକର୍ଷିତ ହେବା ପୂର୍ବରୁ ସେ ସାହିତ୍ୟିକ ହେବା ପାଇଁ ଉଦ୍ୟମ କରିଥିଲେ। କିଛି କବିତା, ଉପନ୍ୟାସ, ନାଟକ ଆଦି ଲେଖିଥିଲେ। ତେବେ, ସାହିତ୍ୟ ତାଙ୍କୁ ସେ ଭଳି କୌଣସି ବିଶେଷ ପରିଚୟ ଦେଇ ନ ଥିଲା। ତାହା ପରେ କଳା, ଇତିହାସ ଓ ଧର୍ମ ସମ୍ବନ୍ଧୀୟ ଦର୍ଶନ ପ୍ରତି ଆକର୍ଷିତ ହୋଇଥିଲେ। ପଢ଼ିବାରେ ଅଧିକ ସମୟ ବିତାଉଥିଲେ। ଶେଷରେ ଧର୍ମ ତାଙ୍କୁ ବିଷ ଭଳି ଲାଗିଥିଲା ଏବଂ ସେ ନାସ୍ତିକ ପାଲଟିଥିଲେ। ଗିର୍ଜାରେ ହସିବା, ମଦ ପିଇ ଉତ୍ପାତ୍ତ କରିବା, ଗଧ ଚଢ଼ି ବୁଲିବା ଭଳି କାର୍ଯ୍ୟ କରି ନିନ୍ଦିତ ହୋଇଥିଲେ। କିଛି ବର୍ଷ ପରେ ସରକାରୀ ସ୍ତରରେ ଅଧ୍ୟାପନା କରିବା ପାଇଁ ଇଚ୍ଛା କରିଥିଲେ େହଁ ବ୍ୟକ୍ତିଗତ ଦୃଷ୍ଟିକୋଣ, ଚିନ୍ତାଧାରା ବାଧକ ହୋଇଥିଲା। ତାହା ପରେ ସାମ୍ବାଦିକତା ଆରମ୍ଭ କରିଥିଲେ। ପ୍ରୁସିଆରେ ସାମ୍ବାଦିକତା କରୁଥିବା ବେଳେ ଶାସନ ବିରୋଧୀ ଲେଖା-ଲେଖି ଯୋଗୁଁ ଦେଶଦ୍ରୋହ ଅଭିଯୋଗର ସାମନା କରିବାକୁ ପଡ଼ିଥିଲା। ମୁକ୍ତ ସାମ୍ବାଦିକତା ଅସଂଭବ ହୋଇପଡ଼ିବାରୁ ସେ ସ୍ବଦେଶ ଛାଡ଼ି ପାରିସ୍ ଆସିଥିଲେ। ପାରିସ୍ରେ ଏକ ବାମପନ୍ଥୀ ଖବରକାଗଜର ସହ-ସଂପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ଏଂଗେଲ୍ସଙ୍କ ସହ ସାକ୍ଷାତ୍ ତାଙ୍କୁ ଜଣେ ପରିବର୍ତ୍ତିତ ପୁରୁଷରେ ପରିଣତ କରିଥିଲା ଏବଂ ସେ ରାଜନୈତିକ ଓ ଅର୍ଥନୈତିକ ଦର୍ଶନ ପ୍ରତି ଆକର୍ଷିତ ହୋଇଥିଲେ। ‘ମାର୍କ୍ସବାଦ’ର ଆଧାର ହେଗେଲୀୟ ଦର୍ଶନ, ଫରାସୀ ସମାଜବାଦ ଓ ଇଂରେଜୀ ଅର୍ଥନୀତିର ମିଶ୍ରଣ। ମାର୍କ୍ସ ନିଜର ରାଜନୈତିକ-ଅର୍ଥନୈତିକ ଦର୍ଶନ ବିକଶିତ କରିବା ପୂର୍ବରୁ ହେଗେଲ୍, ଆଡାମ୍ ସ୍ମିଥ୍, ଡାଭିଡ୍ ରିକାର୍ଡୋ, ଜେମ୍ସ ମିଲ୍, କ୍ଲାଉଡ୍ ହେନ୍ରି ସେନ୍ଟ ସିମୋନ୍ ଓ ଚାର୍ଲସ୍ ଫୋୟେ ଆଦିଙ୍କୁ ଭଲ ଭାବେ ପଢ଼ିଥିଲେ। ବ୍ରିଟିସ୍ ମ୍ୟୁଜିୟମ୍ର ପଠନ କକ୍ଷରେ ବସି, ସେ ନିଜର ଅଧିକା˚ଶ ରଚନା ଲେଖିଥିଲେ।

ଛାତ୍ରାବସ୍ଥାରେ ମାତ୍ର ପଚିଶ ବର୍ଷ ବୟସରେ, ପିତାଙ୍କ ବନ୍ଧୁ-ପୁତ୍ରୀ ଜେନି ଭନ୍ େୱସ୍ଟଫାଲେନ୍ଙ୍କ ସହ ତାଙ୍କର ବିବାହ ହୋଇଥିଲା। ଜେନି, ତାଙ୍କଠାରୁ ଚାରି ବର୍ଷ ବଡ଼ ଥିଲେ। ଜେନି ଛଅ ଜଣ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ହେଲେନ୍ ଡିମୁଥ୍ ନାମା ଭୃତ୍ୟାଙ୍କ ସହ ଅବୈଧ ସ˚ପର୍କ ଯୋଗୁଁ ପାରିବାରିକ ସ୍ତରରେ ମାର୍କ୍ସ ନିନ୍ଦିତ ହୋଇଥିଲେ ଏବ˚ ସେମାନଙ୍କର ମିଳନରୁ ଫ୍ରେଡ୍ରିକ୍ ନାମକ ପୁତ୍ର ଜାତ ହୋଇଥିବା ଜଣାଯାଏ। ପରିବାରର ଆର୍ଥିକ ଅବସ୍ଥା କୌଣସି ସମୟରେ ଭଲ ନ ଥିଲା। ନିଜର ଘର ନ ଥିଲା। ଭଡ଼ା ଘରେ ରହୁଥିଲେ। ବାରମ୍ବାର ଘର ଓ ନାମ ବଦଳାଉଥିଲେ। ଆର୍ଥିକ ଦୁରବସ୍ଥା ସଙ୍ଗକୁ ସରକାର ବିରୋଧୀ ଲେଖା ଯୋଗୁଁ ଏ ଭଳି କରିବାକୁ ପଡ଼ୁଥିଲା। ମାର୍କ୍ସ ବ୍ୟବହାର କରିଥିବା ଦୁଇଟି ଛଦ୍ମନାମ- ‘ମସିଏଁ ରାମ୍ବୋ’, ‘ଏ ଉଇଲିଅମ୍ସ’। ତ୍ବଚାର ରଙ୍ଗ ଗୌର ବର୍ଣ୍ଣ ନ ଥିବାର ବନ୍ଧୁମାନେ ତାଙ୍କୁ ଡାକୁଥିଲେ- ‘ମୁର୍’। ପିଲାମାନେ ଡାକୁଥିଲେ- ‘ଓଲ୍ଡ ନିକ୍’ ଓ ‘ଚାର୍ଲି’। ପ୍ରିୟ ବନ୍ଧୁ ଏଂଗେଲ୍ସଙ୍କୁ ସେ ଡାକୁଥିଲେ- ‘ଜେନ୍ରାଲ୍’। ବନ୍ ବିଶ୍ବବିଦ୍ୟାଳୟରେ ଦ୍ବନ୍ଦ୍ବ ଯୁଦ୍ଧ ଲଢ଼ି ସେ ଗୁରୁତର ଭାବେ ଆହତ ହୋଇଥିଲେ। ମାଛ-ପୋଡ଼ା, କାକୁଡ଼ି ଆଚାର ତାଙ୍କର ପ୍ରିୟ ଖାଦ୍ୟ ଥିଲା। ସେ ନିୟମିତ ସୁରାପାନ ଓ ଧୂମପାନ କରୁଥିଲେ ଏବ˚ ବେଳେ ବେଳେ ଅତ୍ୟଧିକ ପାନ କରି ରାସ୍ତାରେ ମଦୁଆଙ୍କ ପରି ଆଚରଣ କରୁଥିଲେ। ଅତ୍ୟଧିକ ନିଶାସେବନ ଯୋଗୁଁ ଆଜୀବନ ଯକୃତ୍ ଓ ପିତ୍ତାଶୟ ସମସ୍ୟା ଭୋଗିଥିଲେ। ରାତି ଅନିଦ୍ରା ରହୁଥିଲେ। ଜୀବନରେ କେବେ ହେଲେ ସନ୍ତୁଳିତ ଖାଦ୍ୟ ଖାଇ ନ ଥିଲେ। ସ୍ବାସ୍ଥ୍ୟାବସ୍ଥା କେବେ ଭଲରହୁ ନ ଥିଲା। ଜୀବନର ଶେଷ ଆଡ଼କୁ ନା ଠିକ୍ରେ ବସିପାରୁଥିଲେ ନା ଛିଡ଼ାହୋଇପାରୁଥିଲେ। ୧୪ ମାର୍ଚ୍ ୧୮୮୩ରେ ମାତ୍ର ଚଉଷଠି ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଏ ପର୍ଯ୍ୟନ୍ତ ସାରା ବିଶ୍ବକୁ ପ୍ରଭାବିତ କରିଚାଲିଥିବା ମାର୍କ୍ସ ଲଣ୍ଡନ୍ରେ ଜଣେ ରାଷ୍ଟ୍ରହୀନ ବ୍ୟକ୍ତି ବା ଷ୍ଟେଟ୍ଲେସ୍ ପର୍ସନ୍ ଭାବେ ପାର୍ଥିବ ଦୁନିଆରୁ ବିଦାୟ ନେଇଥିଲେ।