ପୋଖରାନ୍ରେ ଭାରତର ପ୍ରଥମ ଆଣବିକ ପରୀକ୍ଷଣର ଆଜି ୪୬ତମ ବାର୍ଷିକୀ..ଜାଣନ୍ତୁ ମିଶନ ସସ୍ମିତ ବୁଦ୍ଧର ପୁରା କାହାଣୀ..
ରାଜସ୍ଥାନର ପୋଖରାନରେ ହୋଇଥିବା ପ୍ରଥମ ଆଣବିକ ପରୀକ୍ଷଣର ୪୬ତମ ବାର୍ଷିକୀ ପାଳନ କରୁଛି ଆମ ଦେଶ। ‘ସସ୍ମିତ ବୁଦ୍ଧ’ କୋଡ୍ ନାଁ ରଖାଯାଇଥିବା ଏହି ଶାନ୍ତିପୂର୍ଣ୍ଣ ଆଣବିକ ପରୀକ୍ଷଣ ୧୯୭୪ ମସିହା ମେ ୧୮ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା। ଏହି ପରୀକ୍ଷା ଭାରତକୁ ଆଣବିକ ଶକ୍ତିସମ୍ପନ୍ନ ଦେଶର ପ୍ରତିଷ୍ଠା ଦେଇଥିଲା।
ଏହି ପରୀକ୍ଷଣକୁ ‘ସସ୍ମିତ ବୁଦ୍ଧ’ କୁହାଯାଏ।ଏହାର କାରଣ ହେଲା, ସେହି ବର୍ଷ ମେ ୧୮ ତାରିଖ ଦିନ ବୁଦ୍ଧ ପୂର୍ଣ୍ଣିମା ପଡ଼ିଥିଲା। ସଫଳ ପରୀକ୍ଷଣ ପରେ ଭାବା ଆଟୋମିକ୍ ରିସର୍ଚ ସେଣ୍ଟର୍ର ନିର୍ଦେଶକ ରାଜା ରମନ୍ନାଙ୍କୁ ଡାକି ପ୍ରଧାନମନ୍ତ୍ରୀ ଗାନ୍ଧୀ କହିଥିଲେ, ‘ଶେଷକୁ ବୁଦ୍ଧ ସ୍ମିତ ହସିଲେ।’

ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ପ୍ରଥମ ଆଣବିକ ପରୀକ୍ଷଣ କରିଥିବାରୁ ଭାରତ ସେତେବେଳେ ଅନ୍ତର୍ଜାତୀୟ ସ୍ତରର ଦୃଷ୍ଟି ଆକର୍ଷଣ କରିଥିଲା।
ପୋଖରାନ୍ରେ ପରୀକ୍ଷଣ ହୋଇଥିବା ଆଣବିକ ବୋମା ସମ୍ପର୍କରେ ଭାବା ଆଟୋମିକ୍ ରିସର୍ଚ ସେଣ୍ଟର୍ର କୌଣସି ତଥ୍ୟ ଦେଇ ନ ଥିଲା। କିନ୍ତୁ, ବିଶେଷଜ୍ଞମାନେ କହନ୍ତି ଏଥିରେ ୮-୧୨ କିଲୋଟନ୍ର ଟିଏନ୍ଟି ଥିଲା। ଏହା ଆମେରିକୀୟ ପରମାଣୁ ବୋମା ‘ଫ୍ୟାଟ୍ ମ୍ୟାନ୍’ ପରି ଡିଜାଇନ୍ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ପରୀକ୍ଷଣ ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଗୁଇନ୍ଦା ଏଜେନ୍ସି ଏହାର ଟେର୍ ପାଇ ନ ଥିଲେ।

୧୯୭୪ ପୀକ୍ଷଣ ପରେ ଭାରତ ପୋଖରାନ୍ ପରୀକ୍ଷଣ ରେଞ୍ଜ୍ରେ ଆଉ ୫ଟି ଆଣବିକ ପରୀକ୍ଷଣ କରିଥିଲା। ୧୯୯୮ ମସିହା ମେ ୧୧ରେ ତିନୋଟି ଏବଂ ମେ ୧୩ ତାରିଖରେ ଦୁଇଟି। ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଅମଳରେ ହୋଇଥିବା ଏହି ପରୀକ୍ଷଣ ଅଭିଯାନର କୋଡ୍ ନାଁ ଥିଲା ‘ଅପରେସନ୍ ଶକ୍ତି’।
