ପାକିସ୍ତାନ ପ୍ଲେନ କ୍ରାସ…ପଢନ୍ତୁ ଦୁର୍ଘଟଣା ହେବାର ୬୦ ସେକେଣ୍ଡ ପୂର୍ବରୁ ପାଇଲଟଙ୍କ ଶେଷ ମେସେଜ୍…
ଶୁଭ ଶୁକ୍ରବାର ପାକିସ୍ତାନ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଅପରାହ୍ନରେ ୯୯ ଯାତ୍ରୀ ଓ ୮ କ୍ର୍ୟୁ ସଦସ୍ୟଙ୍କ ନେଇ କରାଚି ବିମାନ ବନ୍ଦରରେ ଅବତରଣ କରିବାର କିଛି ମିନିଟ୍ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛି ପାକିସ୍ତାନ ଇଣ୍ଟରନେଶନାଲ ଏୟାରଲାଇନ୍ସର ଏୟାରବେସ୍ ଏ୩୨୦ ବିମାନ। ଅପରାହ୍ନ ୨ଟା ୪୫ରେ ଅକସ୍ମାତ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ପାକିସ୍ତାନ ସମେତ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ତେବେ ବିମାନଟି ଦୁର୍ଘଟଣାର ଶିକାର ହେବା ପୂର୍ବରୁ ପାଇଲଟ କଣ୍ଟ୍ରୋଲ ରୁମକୁ ଦେଇଥିଲେ ଶେଷ ବାର୍ତ୍ତା…

ପାଇଲଟ୍: ଆମ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଛି।
କଣ୍ଟ୍ରୋଲ ରୁମ୍: କ’ଣ ଆପଣ ବିମାନ ଅବତରଣ କରିବାକୁ ପ୍ରସ୍ତୁତ ଅଛନ୍ତି? ୨.୦୫ ସୁଦ୍ଧା ରନଓ୍ୱେରେ ଲ୍ୟାଣ୍ଡିଂ କରି ପାରିବ ବିମାନ।
ପାଇଲଟ୍: ମେଡେ଼.. ମେଡେ଼..ମେଡେ଼
ଆଉ ଏହାର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଛି। ପିଆଇଏର ସିଇଓ କହିଛନ୍ତି ବୈଷୟିକ ତ୍ରୁଟି ବାବଦରେ ପାଇଲଟ ସୂଚନା ଦେଇଥିଲେ।
ମେଡେ଼ କଣ??
ରେଡିଓ ଫ୍ରିକ୍ୟୁଏନସିରେ କଥା ହେବା ବେଳେ ଅସୁବିଧାରେ ଥିଲେ ପାଇଲଟ ‘ମେଡେ’ କହିଥାନ୍ତି। ଏହା ଏକ ବୈଷୟିକ ଶବ୍ଦ। ବିପଦ ଆସୁଥିବାବେଳେ ଏଭଳି ଶବ୍ଦର ପ୍ରୟୋଗ କରାଯାଇଥାଏ। ଏହା ଦ୍ୱାରା ପାଇଲଟ୍ ନିଜେ ମଧ୍ୟ ଅସୁରକ୍ଷିତ ବୋଲି ବୁଝାଯାଏ। ‘ମେଡେ’ ଏକ ଫ୍ରାନ୍ସର ଶବ୍ଦ। m’aiderର ଅର୍ଥ ମୋତେ ସାହାଯ୍ୟ କର।

ବିଶେଷଜ୍ଞଙ୍କ କହିବା ମୁତାବକ, ଅବତରଣ ବେଳେ ବିମାନର ତଳ ଭାଗରେ ଏକ ଲ୍ୟାଣ୍ଡିଙ୍ଗ୍ ଗିଅର୍ ରହିଛି। ଏହି ଗିଅର ବକ୍ସ ଖୋଲିବା ପରେ ବିମାନ ଅବତରଣ କରିଥାଏ। ଏହାପରେ ବିମାନଟି ରନୱେରେ ଅବତରଣ କରିଥାଏ। ହେଲେ ବୈଷୟିକ ତ୍ରୁଟି ପାଇଁ ଏହା ଖୋଲିନଥିଲା। ତେଣୁ ଏହି ଦୁର୍ଘଟଣାରେ ଲ୍ୟାଣ୍ଡିଂ ଗିଅର ନଖୋଲିବାରୁ ବିମାନଟି ଜନବସତି ଉପରେ ଖସି ପଡ଼ିଛି।
ପାକିସ୍ତାନର ବିଭିନ୍ନ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ, ଲାହୋରରୁ କରାଚି ଆସୁଥିଲା ଏହି ବିମାନ । ଜିନା ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ମଲିର ନିକଟରେ ଥିବା ମଡେଲ କଲୋନୀରେ ବିମାନଟି ଖସି ପଡ଼ିଛି। ବିମାନରେ ୯୯ ଜଣ ଯାତ୍ରୀ ଥିବା ବେଳେ ୮ ଜଣ କ୍ର୍ୟୁ ମେମ୍ୱର ବା ବିମାନ କର୍ମଚାରୀ ଥିଲେ।