ରବୀନ୍ଦ୍ରନାଥ ଠାକୁର..ଆଜି ଜନ୍ମ ଜୟନ୍ତୀ..
୧୯୧୩ରେ ଗୁୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କୁ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ନୋବେଲ୍ ପାଇଥିବା ପ୍ରଥମ ଅଣ-ୟୁରୋପୀୟ; ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ। ୨୫ ମାର୍ଚ୍ ୨୦୦୪ରେ ‘ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ’ର ଏକ ସୁରକ୍ଷିତ ସିନ୍ଦୁକ ଭିତରେ ଥିବା ଗୁରୁଦେବଙ୍କ ନୋବେଲ୍ ପଦକ ଏବ˚ କେତେକ ବ୍ୟକ୍ତିଗତ ସାମଗ୍ରୀ ଚୋରିହୋଇଯାଇଥିଲା। ସେହି ବର୍ଷ ୭ ଡିସେମ୍ବର୍ରେ ସୁଇସ୍ ଆକାଡେମି ତାଙ୍କ ନୋବେଲ୍ ପଦକର ଦୁଇ ଦୁଇଟି ଅବିକଳ ନକଲ(ଗୋଟିଏ ସୁବର୍ଣ୍ଣ ଓ ଅନ୍ୟଟି ବ୍ରୋଞ୍ଜ୍) ବିଶ୍ବ ଭାରତୀ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ବାଂଲା ଭାଷା-ଭାଷୀ ଅଞ୍ଚଳର ସାହିତ୍ୟ ଓ ସ˚ଗୀତକୁ ସେ ଏକ ନୂତନ ରୂପ ଦେଇଥିଲେ ତଥା ଗଭୀର ଭାବେ ଅନୁପ୍ରାଣିତ କରିଥିଲେ। ସେ କଥିତ ବାଂଲାରେ ଲେଖା-ଲେଖି କରି ଏକ ନୂତନ ଧାରା ପ୍ରଚଳନ କରିଥିଲେ। ମାତ୍ର ଆଠ ବର୍ଷ ବୟସରେ ସେ କବିତା ଲେଖା ଆରମ୍ଭ କରିଥିଲେ। ଷୋହଳ ବର୍ଷ ବୟସରେ ତାଙ୍କର ପ୍ରଥମ କବିତା ପୁସ୍ତକ ‘ଭାନୁସି˚ହ’ ଛଦ୍ମନାମରେ ପ୍ରକାଶିତ ହୋଇଥିଲା। ତାହା ପରେ ପରେ ସେ ଗଳ୍ପ, ଉପନ୍ୟାସ ଓ ନାଟକ ଲେଖାରେ ମନ ଦେଇଥିଲେ।
ସେ ବ୍ରିଟିସ୍ ସାମ୍ରାଜ୍ୟବାଦର ତୀବ୍ର ବିରୋଧୀ ଏବ˚ ଭାରତୀୟ ଜାତୀୟତାବାଦୀଙ୍କ ସମର୍ଥକ ଥିଲେ। ବ୍ରିଟିସ୍ ଶାସନ ବ୍ୟବସ୍ଥାକୁ ସେ ‘ଭାରତୀୟ ସାମାଜିକ ବ୍ୟାଧିର ରାଜନୈତିକ ଲକ୍ଷଣ’ ଭାବେ ଅଭିହିତ କରିଥିଲେ। ଶିକ୍ଷାକୁ ସେ ଆଜୀବନ ପ୍ରାଧାନ୍ୟ ଦେଇଥିଲେ। ଉପଯୁକ୍ତ ଶିକ୍ଷା ବିନା ସମସ୍ତ ପ୍ରକାରର ବିପ୍ଳବ ଅର୍ଥହୀନ ବୋଲି ସେ କହୁଥିଲେ। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ସେ ‘ପଞ୍ଜୁରି ଭିତରେ ବନ୍ଦୀ ଶୁଆକୁ ତାଲିମ’ ସହ ତୁଳନା କରିଥିଲେ। ଶିକ୍ଷାକୁ ପାଠ୍ୟକ୍ରମ ଓ ପୁସ୍ତକ ବାହାରକୁ ନେବା ପାଇଁ ସେ ‘ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ’ ସ୍ଥାପନ କରିଥିଲେ। ବୈପ୍ଳବିକ ଚିନ୍ତାଧାରା ଯୋଗୁଁ ସେ ଶ୍ରେଣୀ ବିଦ୍ବେଷର ଶିକାର ମଧ୍ୟ ହୋଇଥିଲେ। ୧୯୧୬ରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଏକ ହୋଟେଲ୍ରେ ଅବସ୍ଥାନ କାଳରେ ଗୁରୁଦେବଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା ତେବେ ଷଡ଼୍ଯନ୍ତ୍ରକାରୀମାନେ ସଫଳ ହୋଇପାରି ନ ଥିଲେ। ସେ ବ୍ରିଟିସ୍ ବିରୋଧୀ ଥିଲେ ଏବ˚ ଜର୍ମାନି ଓ ଜାପାନ୍ ପରି ରାଷ୍ଟ୍ର ଆଡ଼ୁ ରାଜନୈତିକ ସହାୟତା ସପକ୍ଷରେ ଥିଲେ। ଏହା ସତ୍ତ୍ବେ ବ୍ରିିଟିସ୍ ସରକାର ୧୯୧୫ରେ ତାଙ୍କୁ ‘ନାଇଟ୍’ ଉପାଧି ପ୍ରଦାନ କରିଥିଲେ। ଜଲିୟଁାୱାଲାବାଗ ଗଣହତ୍ୟା ଦ୍ବାରା ବ୍ୟଥିତ ହୋଇ, ପ୍ରତିବାଦ ସ୍ବରୂପ ୧୯୧୯ରେ ସେ ‘ନାଇଟ୍’ ଉପାଧି ଫେରାଇଦେଇଥିଲେ। ଗୁରୁଦେବଙ୍କ ଦୁଇଟି କବିତା- ‘ଜନ ଗଣ ମନ..’ ଓ ‘ଆମାର ସୋନାର ବାଂଲା..’କୁ ଯଥାକ୍ରମେ ଭାରତ ଏବ˚ ବାଂଲାଦେଶର ଜାତୀୟ ସ˚ଗୀତ ଭାବେ ମନୋନୀତ କରାଯାଇଥିଲା।
ଭାରତୀୟ ସ୍ବାଧୀନତା ସ˚ଗ୍ରାମୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସେ ରଚନା କରିଥିଲେ- ‘ଚିତ୍ତୋ ଜେଠା ଭୟଶୂନ୍ୟୋ..’(ଯେଉଁଠାରେ ମନ ଭୟମୁକ୍ତ) ଏବ˚ ‘ଏକଲା ଚଲୋ ରେ..’(ଯଦି ତୁମ ଡାକର ଉତ୍ତର ମିଳୁନାହିଁ ଏକା ଆଗେଇ ଚାଲ)। ମହାତ୍ମା ଗାନ୍ଧୀଙ୍କୁ ଏହି ଦ୍ବିତୀୟ ପଦ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା। ଗୁରୁଦେବ ଜାତିପ୍ରଥାର ଘୋର ବିରୋଧୀ ଥିଲେ। ତାଙ୍କର ରଚନାରେ ଏହାର ସ୍ପଷ୍ଟ ଝଲକ ଦେଖିବାକୁ ମିଳେ। କେରଳର ଗୁରୁବାୟୁର ମନ୍ଦିରରେ ଦଳିତଙ୍କ ପ୍ରବେଶ ପାଇଁ ସେ ସ˚ଗ୍ରାମ କରି ଜିଣିଥିଲେ। ୧୮୬୧ ମେ ୭ରେ କଲକାତାସ୍ଥିତ ଜୋଡ଼ାସଁାକୋ ଠାକୁରବାଡ଼ୀରେ ଗୁରୁଦେବ ଜନ୍ମ ହୋଇଥିଲେ। ତାଙ୍କ ବ˚ଶଧର ବର୍ଦ୍ଧମାନ ଜିଲ୍ଲାର ମୂଳ ବାସିନ୍ଦା ତଥା ବଙ୍ଗୀୟ ବ୍ରାହ୍ମଣ। ସେମାନଙ୍କ ମୂଳ ସାଙ୍ଗିଆ ଥିଲା ‘କୁଶରୀ’। ସେ ଶୈଶବରେ ମାତାଙ୍କୁ ହରାଇଥିଲେ। ପିତା କାର୍ଯ୍ୟ ଯୋଗୁଁ ଅଧିକା˚ଶ ସମୟ ବାହାରେରହୁଥିବାରୁ ରବୀନ୍ଦ୍ରନାଥଙ୍କ ଦାୟିତ୍ବ ଘରର ପରିଚାରକ-ପରିଚାରିକାମାନେ ବହନ କରିଥିଲେ। ସେ ଶୈଶବରେ ଘରୋଇ ଭାବେ ଶିକ୍ଷା ପାଇଥିଲେ। ସ˚ଗୀତ, ଗଣିତ, ଭୂଗୋଳ, ଇତିହାସ, ସାହିତ୍ୟ, ଶରୀର ବିଜ୍ଞାନ, ଚିତ୍ରକଳା ଆଦିରେ ଶିକ୍ଷାଲାଭ କରିଥିଲେ। ବ୍ୟାପକ ଭାବେ ଦେଶ-ବିଦେଶ ଭ୍ରମଣ କରିଥିଲେ। ଶାନ୍ତିନିକେତନ(ବୋଲପୁର)ରେ ତାଙ୍କ ପିତାଙ୍କର ବିପୁଳ ଭୂ-ସ˚ପତ୍ତି, ପ୍ରାସାଦ ଆଦି ଥିଲା। ସେଠାରେ ଦିନ ଦିନ ଧରି ରହୁଥିଲେ ଏବ˚ ପରେ ‘ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ। ପିତା ଚାହୁଁଥିଲେ ସେ ବାରିଷ୍ଟର୍ ହୁଅନ୍ତୁ। ତେଣୁ, ଲଣ୍ତନ୍ ପଠାଇଥିଲେ। ତେବେ, ସେ ଅଧାରୁ ପଢ଼ା ଛାଡ଼ିଥିଲେ। ଦେଶ ବା ବିଦେଶର କୌଣସି ଶିକ୍ଷାନୁଷ୍ଠାନ ପରିସରରେ ସେ ଦୀର୍ଘ କାଳ ରହିପାରି ନ ଥିଲେ; ତେଣୁ ବିଧିବଦ୍ଧ ଡିଗ୍ରି ପାଇ ନ ଥିଲେ। ପତ୍ନୀଙ୍କ ନାମ ଥିଲା ମୃଣାଲିନୀ। ୧୮୮୩ରେ ସେମାନଙ୍କର ବିବାହ ହୋଇଥିଲା। ୧୯୦୨ରେ ପତ୍ନୀଙ୍କ ପରଲୋକ ପରେ ରବୀନ୍ଦ୍ରନାଥ ମୁଖ୍ୟତଃ ଶାନ୍ତିନିକେତନରେ ରହିଥିଲେ। ଜୀବନର ଶେଷ ପାଞ୍ଚ ବର୍ଷ ବ୍ୟାଧି ପୀଡ଼ିତ ଥିଲେ। ୭ ଅଗଷ୍ଟ୍ ୧୯୪୧ରେ କଲକାତାସ୍ଥିତ ନିଜର ପୈତୃକ ବାସଭବନରେ ହିଁ ତାଙ୍କର ପରଲୋକ ହୋଇଥିଲା।