କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ଆଦେଶ, ବେଲଗାମ ଭାବରେ ଚାଲିଛି ପଥର ଖଣି
ଖୋର୍ଦ୍ଧା, ତା୧୬/୬-ବେଗୁନିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବରେ ମାଙ୍କଡା ପଥର ଖଣି ଖନନ କାର୍ଯ୍ୟ ପ୍ରତ୍ୟହ ଚାଲୁଛି । କିନ୍ତୁ ପ୍ରଶାସନ ପକ୍ଷରୁ ସେଗୁଡିକୁ ବନ୍ଦ କରିବା ଦୂରର କଥା କୌଣସି ପଦକ୍ଷେପ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ପ୍ରକଟ କରିଛି । ଏଥିରେ ପଥର ମାଫିଆମାନେ ବେଲଗାମ ଭାବରେ ଦିବାରାତ୍ରରେ ଦୈନିକ ପଥର ଖନନ କରି ଲକ୍ଷାଧିକ ଟଙ୍କାର ରାଜସ୍ୱହାନୀ ହେଉଛି ।ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ ଭାବରେ ବେଳେବେଳେ କାଁ ଭାଁ ଚଢାଉ କରି ନାମ କମାଉଛି । ଏହି ଅପାରଗତା ଯୋଗୁଁ ଦିନକୁ ଦିନ ପଥର ଚାଲାଣ କମିବା ପରିବର୍ତେ ବୃଦ୍ଧି ପାଇବାରେ ଲାଗିଛି ।
ପଥର ମାଫିଆମାନଙ୍କୁ ଦମନ କରିବା ପାଇଁ ପ୍ରତ୍ୟେକ ତହସିଲଦାରଙ୍କୁ ଜିଲାପାଳ ଓ ଉପ ଜିଲାପାଳ ପଥର ବୋଝେଇ ଗାଡିକୁ ଜବତ କରିବା ସହ ଜରିମନା ଆଦାୟ ନକରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଥାନାରେ ଜଣାଇବା ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ତହସିଲଦାରଙ୍କ ପ୍ରିୟପ୍ରୀତି ନୀତି ଯୋଗୁଁ କିଛି ପଥର ବୋଝେଇ କରି ଯାଉଥିବା ଗାଡି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ବେଳେ କେତେକଙ୍କ ଠାରୁ ଜରିମନା ଆଦାୟ କରି ଛାଡି ଦେଉଥିବାର ଦେଖିବାକୁ ମିଳୁଛି । ଜରିମନା ଦେଉଥିବା ଗାଡି ମାଲିକମାନେ ପୁନର୍ବାର ପଥର ବୋଝେଇ କରି ବେଆଇନ ଭାବରେ ପଥର ଚାଲାଣ କରୁଥିବାର ନଜରକୁ ଆସିଛି । ଏହି କାର୍ଯ୍ୟକୁ ନେଇ କେସରେ ସଂପୃକ୍ତ ଗାଡି ମାଲିକ ଓ ଜରିମନା ଦେଇଥିବା ଗାଡି ମାଲିକଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି ।ଏପରି ପ୍ରିୟପ୍ରୀତି ନାଟକ ଯୋଗୁଁ ତହସିଲ କାର୍ଯ୍ୟାଳୟ ବାରୁଦରେ ନିଆଁ ଲଗାଇ ବିସ୍ଫୋରଣ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।