ରାସ୍ତା ଖାଲ ଖମାରେ ଭର୍ତି ,ଅସରାଏ ବର୍ଷାରେ ହେଉଛି ଜଳାର୍ଣ୍ଣବ
ଖୋର୍ଦ୍ଧା, ତା୧୪/୬- ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମକୁ ଏକ ଭଲ ପକ୍କା ସଡକ କରିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ ହୋଇଥିବା ବେଳେ ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମଠାରୁ ରମାମଣି ମହାବିଦ୍ୟାଳୟ ପର୍ଯ୍ୟନ୍ତ ୧ କିମିରୁ ଉର୍ଧ୍ବ ବିଶିଷ୍ଟ ଆରଡ଼ି ରାସ୍ତାଟି ଏବେ ମରଣ ଯନ୍ତା ପାଲଟିବା ସହ ଖାଲଖମାରେ ଭର୍ତ୍ତି ହୋଇପଡିଛି । ଏବେ ବର୍ଷା ଋତୁ ଆରମ୍ଭରେ ମୌସୁମୀ ବର୍ଷା ଆଗମନରେ ଅସରାଏ ଅସରାଏ ବର୍ଷା ହେବାରୁ ଖାଲ ଗୁଡିକରେ ପାଣି ଜମି ରହି କୃତ୍ରିମ ହ୍ରଦ ସୃଷ୍ଟି କରି ସମସ୍ତଙ୍କୁ ଭ୍ରମରେ ପକାଉଛି ।
ଏହି ରାସ୍ତା ଦେଇ ପ୍ରତିଦିନ ଦିନ ଓ ରାତ୍ରିରେ ବାଙ୍କୀ ଉପଖଣ୍ଡ ସମେତ ୩ ଗୋଟି ପଞ୍ଚାୟତର ଜନସାଧାରଣ ମୋଟର ସାଇକେଲ ଓ ସାଇକେଲ ଆରୋହି,ଭାରିଯାନ,ପଥଚାରୀ,କଲେଜଓ ବିଦ୍ୟାଳୟ ଛାତ୍ରଛାତ୍ରୀ,ଚିକିତ୍ସାଳୟ, ବ୍ଲକ କାର୍ଯ୍ୟାଳୟ,ସାପ୍ତାହିକ ହାଟକୁ ବ୍ୟବସାୟୀ ମାନେ ନିର୍ଭର କରିଥାନ୍ତି ।ଏହି ରାସ୍ତାଟିର ଅବସ୍ଥା ଖରାପ ଥିବାରୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ବର୍ଷକୁ ଥରେ ଅଧେ କେବଳ ନାମକୁ ମାତ୍ର ମରାମତି କରିବା ନାଁରେ କେବଳ ଖାଲ ଗୁଡିକରେ ମୋରମ ବିଛାଇ ଦିଆ ଯାଉଥିବା ବେଳେ ପୁଣି ଯଥା ପୂର୍ଵମ ତଥା ପରମ ଭଳି ଅବସ୍ଥା ହେଉଛି ।ଏଥିପ୍ରତି ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦେଉ ନଥିବାର ସଚେତନ ନାଗରିକ ମାନେ କହିଛନ୍ତି ।