ରାଉତପଡା ଅପହରଣ ଘଟଣାରେ ୫ ଗିରଫ,ଦୁଇ ଆହତ
ଖୋର୍ଦ୍ଧା, ତା୧୫/୬-ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ରବିବାର ଦିନ ବିଳମ୍ବିତ ସନ୍ଧ୍ୟାରେ ଏକ ବୋଲେରୋ ଯୋଗେ କୋତଳାଙ୍ଗ ଗ୍ରାମର ଦଶ ଜଣ ବ୍ୟକ୍ତି ପହଁଚି ପୂର୍ଵ ଶତ୍ରୁତା ଓ ରାଜନୈତିକତାକୁ କେନ୍ଦ୍ର କରି ମାରଣାସ୍ତ୍ର ଧରି ଅପହରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ମହିଳା ଜଣକ ପ୍ରତିବାଦ କରିବାରୁ ଅସଦାଚରଣ ପାଇଁ ଚେଷ୍ଟା କରିଥିଲେ । ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଏକତ୍ରିତ ହୋଇ ଅପହରଣକାରୀକୁ
ନିସ୍ତୁକ ମାଡ଼ ଦେଇ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଓ ବୋଲେରୋ ଗାଡି ଜବତ କରି ୧୨୪/୨୦ରେ କେସ ରୁଜୁ କରି ଘଟଣାର ତଦନ୍ତ କରୁଛି ।
ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡା ପଞ୍ଚାୟତର ମନୋରଞ୍ଜନ ସାହୁଙ୍କ ପତ୍ନୀ ସ୍ୱୟଂପ୍ରଭା ଜେନା ଅଭିଯୋଗ ମୁତାବକ ରାଜନୈତିକ ଓ ପୂର୍ଵ ଶତ୍ରୁତାତାକୁ କେନ୍ଦ୍ର କରି ବେଗୁନିଆ ଥାନା ଅନ୍ତର୍ଗତ କୋତଳାଙ୍ଗ ଗ୍ରାମର ସୁଶାନ୍ତ କୁମାର ପାଇକରାୟ ଓରଫ କଳିଙ୍ଗ,ସ୍ଥାନୀୟ ସମିତି ସଭ୍ୟ ବିବେକାନନ୍ଦ ରାଉତରାୟ ଓରଫ ମାଧବ,ମୋହନ ବେହେରା,ଅରବିନ୍ଦ ବେହେରା ଓ ପୂର୍ଣ୍ଣଚନ୍ଦ୍ର ବଳିୟାରସିଂହଙ୍କ ସମେତ ଅନ୍ୟ କେତେ ଜଣ ବ୍ୟକ୍ତି ଓଡ଼ି ୧୦ଡି୯୦୦୮ ନମ୍ବର ବିଶିଷ୍ଟ ବୋଲେରୋ ଗାଡି ଯୋଗେ ରାଉତପଡା ଗ୍ରାମର ସାହାଡ଼ାପଦା ଆଦିବାସୀ ସାହିରେ ମନୋରଞ୍ଜନ ସାହୁଙ୍କ ଘରେ ପହଂଚି ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଅଶ୍ଲିଳ ଭାଷାରେ ଗାଳିଗୁଲଜ କରି ଅପହରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ମହିଳା ଜଣଙ୍କ ଏଥିରେ ପ୍ରତିବାଦ କରିବାରୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଂଚିବାର ଦେଖି ଅପହରଣକାରୀ ମାନେ ମହିଳା ବେକରେ ପିନ୍ଧିଥିବା ସୁନାମାଳ ଛିଣ୍ଡାଇ ଚାଲିଯାଉଥିବା ସମୟରେ ସୁଶାନ୍ତ, ବିବେକାନନ୍ଦ ଓ ମୋହନଙ୍କୁ ନିସ୍ତୁକ ମାଡ଼ ଦେଇ ବ୍ୟବହୃତ ଗାଡିଟିକୁ ଭାଙ୍ଗିଦେଇଥିଲେ । ବେଗୁନିଆ ପୋଲିସ ପହଁଚି ସୁଶାନ୍ତ ଓ ଅରବିନ୍ଦ ଆହତ ଦ୍ୱୟଙ୍କୁ ଚିକିତ୍ସା ନିମିତ୍ତ ଭୁବନେଶ୍ୱର ଏମ୍ସ ଚିକିତ୍ସାଳୟରେ ଭର୍ତି କରିଥିଲେ ।ସୋମବାର ଦିନ ଆହତ ଦ୍ୱୟଙ୍କୁ ଚିକିତ୍ସାଳୟରୁ ଆଣି ୫ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ଏକ ବନ୍ଧୁକ ଓ ବୋଲେରୋ ଗାଡି ଜବତ କରି ବେଗୁନିଆ ଥାନା ଉପ ଆରକ୍ଷୀ ନିରୀକ୍ଷକ ବିଜୟ କୁମାର ମଲିକ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।