(ସାରା ବିଶ୍ବକୁ କରୋନା ଅନ୍ଧାର ଦିଶାହରା କରିସାରିଥିବା ବେଳେ, ମୁଁ ଆଲୋକର ସନ୍ଧାନରେ, ସୂର୍ଯ୍ୟୋଦୟ ଅପେକ୍ଷାରେ। ଆଶା କରେ ମୋର ଏହି କବିତା ଆପଣଙ୍କୁ ବି ନୂଆ ଆଶା ଦେବ ଆଗାମୀ କାଲି ପାଇଁ)
ସୂର୍ଯ୍ୟୋଦୟ ଅପେକ୍ଷାରେ
******************
ଦିନେ ସୂରୁଜ ଉଇଁବ ନୂଆ ସନ୍ଦେଶଟେ ଧରି
ଅଜଣା ରାଇଜେ ପୁଣି ଅନ୍ଧାର ଯାଇଛି ଫେରି
ସବୁ ଭୟ ପୋଛିଦେବ କଅଁଳ କିରଣ
ମୋ ଛାତିର ସ୍ପନ୍ଦନତକ ଯିବା ଆଗୁ ମରି ।
ନା ନିଶ୍ବାସରେ ବାଧା ଥିବ, ନା ପବନରେ ବିଷ
ସମସ୍ତଙ୍କ ଓଠେ ଥିବ ଆଶ୍ବସ୍ତିର ହସ
ଆଉ ଅସ୍ପୃଶ୍ୟ ନଥିବେ ମୋର ବନ୍ଧୁ ପରିଜନ
ନିଃସଙ୍କୋଚେ ଯୋଡ଼ିବି ହୃଦୟ ଆଲିଙ୍ଗନ କରି ।
ଘର ଆଗୁ ଲିଭିଥିବ ଲକ୍ଷ୍ମଣର ରେଖା
ନଥିବ କରୋନାସୁର ଦେବା ପାଇଁ ଧୋକା
ଭୟ ଦ୍ବିଧା ଆଶଙ୍କାକୁ ପଛକୁ ଫୋପାଡ଼ି
ଧାଇଁଯିବି ମୃଗ ପଛେ ଆଶା ମେଞ୍ଚେ ଧରି ।
ନ ମରି ବି ପାଇଥିବି ପୁନର୍ଜନ୍ମ ଏକ
ବୁଝିଥିବି ବଞ୍ଚିବା ହିଁ ଏକମାତ୍ର ସୁଖ,
ଧନ, ବଳ, ସବୁ କିଛି ମିଛ ପ୍ରହସନ
ସବୁଠାରୁ ଦାମୀ ଅଟେ ସ୍ବାସ୍ଥ୍ୟ ଓ ସଂପର୍କ ।
ହେଜିଥିବି ଆମେ ସବୁ କେତେ ଯେ ଦୁର୍ବଳ
ମଣିଷ ଧୂଳିସମ, ପ୍ରକୃତି ପର୍ବତମାଳ
ଯେତେ ସବୁ ଅହଂକାର, ଯେତେ ବାହାସ୍ଫୋଟ
ଅଛି ଜଣେ, ଯାହା ପାଇଁ, ସବୁ ବାଲିଖେଳ ।
ନିୟତିର ବାଲିଖେଳ ଯେବେ ଯିବ ସରି
ସୁରୂଜ ଉଇଁବ ନୂଆ ସନ୍ଦେଶଟେ ଧରି
ରାତି ସ୍ବପ୍ନ ପାଲଟିବ ଭୂତାଣୁ ବିପତ୍ତି
ସକାଳୁ ସବୁ ଥିବ, ଠିକ୍ ପୂର୍ବ ପରି ।
ଦିନେ ସୂରୁଜ ଉଇଁବ ନୂଆ ସନ୍ଦେଶଟେ ଧରି
ଅଜଣା ରାଇଜେ ପୁଣି ଅନ୍ଧାର ଯାଇଛି ଫେରି
ସବୁ ଭୟ ପୋଛିଦେବ କଅଁଳ କିରଣ
ମୋ ଛାତିର ସ୍ପନ୍ଦନତକ ଯିବା ଆଗୁ ମରି ।