ଆସ ବୁଲିଯିବା ସିରୁଳୀମହାବୀରମନ୍ଦିର…
ଗଙ୍ଗବଂଶୀ ରାଜା ମାନଙ୍କ ଦ୍ଵାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସିରୁଳୀ ମହାବୀର ମନ୍ଦିର ଏକ ସୁନ୍ଦର୍ ଓ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଅଟେ। ମନ୍ଦିର ର ନିର୍ମାଣ ସମ୍ପର୍କରେ ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ଯ ମନ୍ଦିରର ପୂଜାରୀଙ୍କ ତଥ୍ଯ ଅନୁସାରେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମଦେବ ତ୍ରୟୋଦଶ ଶତାବ୍ଦୀରେ ଶିରୁଳି ମହାବୀର ମନ୍ଦିର ନିର୍ମାଣ କରିଥିଲେ। ମୁଖ୍ୟ ମନ୍ଦିର ବହୁତ୍ ଉଚ୍ଚ ନହେଲେ ବି ବିମାନ, ଜଗମୋହନ, ନାଟମନ୍ଦିର, ଭୋଗମଣ୍ଡପ ଆଦି କୁ ନେଇ ମନ୍ଦିର ପରିସର ବହୁତ୍ ବଡ। ୧୦ ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ହନୁମାନଙ୍କର ବିଶାଳ ମୂର୍ତ୍ତିଙ୍କୁ ଏଠାରେ ଭୀମକାୟ ରୂପରେ ଦେଖିବାକୁ ମିଳେ।ଗୋଟିଏ ହାତରେ ଗନ୍ଧମାର୍ଦ୍ଧନ ପର୍ବତକୁ ଟେକି ଧରିଥିବା ବେଳେ ଅନ୍ୟ ହାତରେ ଏକ ଛୋଟ କଟୁରୀ ଧରି ଭୟଙ୍କର ମୁଦ୍ରା ରେ ମହାବୀର ହନୁମାନ ଏଠାରେ ବିରାଜିତ।
ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଯେ ଏଠାରେ ପୂଜିତ ମହାବୀର ହନୁମାନଙ୍କର ଦୁଇ ନେତ୍ର ଗୋଟିଏ ଦିଗକୁ ନାହିଁ । ବାମ ନେତ୍ରରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନୀଳଚକ୍ରକୁ ଚାହିଁଥିବା ବେଳେ ଡାହାଣ ନେତ୍ରରେ ସର୍ବଦା ଲଙ୍କାକୁ ସତର୍କ ଦୃଷ୍ଟିରେ ଚାହିଁଛନ୍ତି। ଗୋଟିଏ ନେତ୍ରରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ ନେତ୍ରରେ ସେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଇଥିବା ପ୍ରତିଜ୍ଞା ଯାହାକି ସେ ବିଭୀଷଣ ଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ପାଳନ କରୁଛନ୍ତି।ମହାବୀରଙ୍କର ଏଭଳି ବିଗ୍ରହ ସମଗ୍ର ପୃଥିବୀରେ କେଉଁଠାରେ ନାହିଁ।
ପୂଜକଙ୍କ କହିବା ଅନୁସାରେ ଏଠାରେ ମହାବୀରଙ୍କ ମନ୍ଦିର ପ୍ରତିଷ୍ଠା ନେଇ ଏକ ସୁନ୍ଦର୍ କିମ୍ବଦନ୍ତୀ ରହିଛି। ତାହା ହେଉଛି ପ୍ରଥମେ ମହାବୀର, ଜଗନ୍ନାଥଙ୍କ ମନ୍ଦିରର ପଶ୍ଚିମ ପଟେ ପୂଜା ପାଉଥିଲେ । କିନ୍ତୁ ରାତି ରେ ମହାବୀରଙ୍କ ଘୁଙ୍ଗୁଡ଼ିରେ ମା ଲକ୍ଷ୍ମୀଙ୍କର ନିଦ୍ରା ଭଙ୍ଗ ହେବାରୁ, ମା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କୁ ଅଭିଯୋଗ କଲେ।ତେଣୁ ପ୍ରଭୁଙ୍କ ଆଜ୍ଞାରେ ମହାବୀର ସେଠାରୁ ଅଢେଇ ପାଦ ଦୂର ଯାହାକି ପୁରୀରୁ 24 କିମି ଦୂରରେ ସିରୁଳୀ ଠାରେ ରହି ପୂଜା ପାଉଛନ୍ତି ଓ ବାମ ନେତ୍ର ରେ ପ୍ରଭୁଙ୍କ ନୀଳଚକ୍ର କୁ ଚାହିଁ ରହିଛନ୍ତି।
ସିରୁଳୀ ମହାବୀର ମନ୍ଦିରର ବିଭିନ୍ନ ସ୍ଥାନରେ ରାମାୟଣର କଥାବସ୍ତୁକୁ ଆଧାର କରି ଅନେକ ମୂର୍ତ୍ତି ଓ ଚିତ୍ର କରାଯାଇଛି।ମନ୍ଦିର ପରିବେଶ ମଧ୍ୟ ବହୁତ୍ ସୁନ୍ଦର। ପୁରୀରୁ ଏହି ସ୍ଥାନର ଦୂରତା 25 କିମି ଭିତରେ ।କିନ୍ତୁ କୌଣସି ମୁଖ୍ୟ ରାସ୍ତା ନାହିଁ। ପୁରୀ ତୋଟାସାହି ଛକ ରୁ ଡ଼ାହାଣ କୁ ଗ୍ରାମୀଣ ରାସ୍ତାରେ ଗଲେ ଆପଣ ଏହି ମନ୍ଦିରରେ ପହଂଚି ପାରିବେ।