ବ୍ୟକ୍ତିତ୍ୱ:: ‘ରେଡିଓ’ର ଉଦ୍ଭାବକ ମାର୍କୋନି”..ଆଜି ଜନ୍ମଦିନ…
ରେଡିଓର ଉଦ୍ଭାବକ ଭାବେ ଜଣାଶୁଣା ଇଟାଲୀୟ ବିଜ୍ଞାନୀ ମାର୍କୋନିଙ୍କ ପୂରା ନାମ- ଗୁଇଆଲ୍ମୋ ଜିଓଭାନି ମାରିଆ ମାର୍କୋନି। ସେ ମାର୍କୋନିର ପ୍ରଥମ ମାର୍କୁଇସ୍। ପେସାରେ ସେ ଥିଲେ ବୈଦ୍ୟୁତିକ ଯନ୍ତ୍ରୀ। ମାର୍କୋନି ଲ, ରେଡିଓ ଟେଲିଗ୍ରାଫ୍, ଲମ୍ବା ଦୂରତାର ରେଡିଓ ଟ୍ରାନ୍ସମିସନ୍ ଆଦି ପାଇଁ ସେ ପ୍ରସିଦ୍ଧ। ୧୮୬୦ରେ ରେଡିଓ ତରଙ୍ଗର ଉପସ୍ଥିତି ଓ ଏହାର ପ୍ରସାରଣ ବା ଟ୍ରାନ୍ସମିସନ୍ ବାବଦରେ ପ୍ରଥମେ ସୂଚନା ଦେଇଥିଲେ ଜେମ୍ସ କ୍ଲାର୍କ୍ ମାକ୍ସେଵଲ୍। ୧୯୦୧ରେ ମାର୍କୋନି ବିଶ୍ବରେ ପ୍ରଥମ ଥର ରେଡିଓ ତରଙ୍ଗର ଟ୍ରାନ୍ସଆଟ୍ଲାନ୍ଟିକ୍ ଟ୍ରାନ୍ସମିସନ୍ରେ ସଫଳ ହୋଇଥିଲେ। ୧୯୦୩ରେ ତାଙ୍କ ମାଧ୍ୟମରେ ମାର୍କିନ୍ ରାଷ୍ଟ୍ରପତି ରୁଜ୍ଭେଲ୍ଟ, ଇଂଲଣ୍ଡ୍ର ରାଜା ସପ୍ତମ ଏଡ୍ଵାର୍ଡ୍ଙ୍କ ପାଖକୁ ଏକ ରେଡିଓ ବାର୍ତ୍ତା ପଠାଇଥିଲେ।
ମାର୍କୋନିଙ୍କ ପୂର୍ବରୁ ନିକୋଲା ଟେସ୍ଲା, ଅଲିଭର୍ ଲଜ୍ ଓ ହେନ୍ରିଚ୍ ହର୍ଜ୍ ପ୍ରମୁଖ ରେଡିଓ ତରଙ୍ଗ ପ୍ରେରଣରେ ସଫଳ ହୋଇଥିବାର ଦାବି ରହିଛି। ତେବେ, ମାର୍କୋନିଙ୍କୁ ଏହାର ଶ୍ରେୟ ଦିଆଯାଏ ଏବ˚ ଏଥି ପାଇଁ ୧୯୦୯ରେ ତାଙ୍କୁ ପଦାର୍ଥ ବିଜ୍ଞାନ ବିଭାଗରେ ‘ନୋବେଲ୍ ପୁରସ୍କାର’ ମିଳିଥିଲା। ରେଡିଓକୁ ବିକଶିତ-ପ୍ରସାରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମାର୍କୋନି, ଜର୍ମାନିର ହେନ୍ରିଚ୍ ହର୍ଜ୍, ରସିଆର ଆଲେକ୍ଜାଣ୍ଡର୍ ପୋପୋଭ୍, ଫ୍ରାନ୍ସର ଏଡ୍ୱାର୍ଡ୍ ବ୍ଲାନ୍ଲେ, ଆମେରିକାର ନିକୋଲା ଟେସ୍ଲା, ବ୍ରିଟେନ୍ର ଅଲିଭର୍ ଲଜ୍, ସ୍ପେନ୍ର ସର୍ଭେରା ବାଭିଏରା ଓ ଭାରତର ଚନ୍ଦ୍ର ବସୂ। ୧୮୯୭ରେ ମାର୍କୋନି ଇ˚ଲଣ୍ତ୍ରେ ‘ଦ ୱାୟାର୍ଲେସ୍ ଟେଲିଗ୍ରାଫ୍ ଆଣ୍ତ୍ ସିଗ୍ନାଲ୍ କ˚ପାନି’(ପରେ ନାମ ବଦଳି ‘ମାର୍କୋନି କ˚ପାନି’ ହୋଇଥିଲା) ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ। ବୋଲୋଗ୍ନା ବିଶ୍ବବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ପରେ ତାଙ୍କ ଗବେଷକ ଜୀବନ ଆରମ୍ଭ ହୋଇଥିଲା। ତାଙ୍କର ସମସ୍ତ ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ଇଟାଲିରେ ହୋଇଥିଲା। ତେବେ, ନିଜ ଗବେଷଣାର ସୁଫଳ ସେ ଇ˚ଲଣ୍ତ୍ରେ ପାଇଥିଲେ। ‘ଟାଇଟାନିକ୍’ ଜାହାଜ ଓ ଭାଟିକାନ୍ ସିଟିରେ ରେଡିଓ ସ˚ଯୋଗ, ତାଙ୍କ କ˚ପାନି କରିଥିଲା। ‘ଟାଇଟାନିକ୍’ ଜାହାଜ ବୁଡ଼ିରୁ ଯେଉଁ ଅଳ୍ପ କିଛି ଉଦ୍ଧାର ପାଇଯାଇଥିଲେ, ତାହା ସଂଭବ ହୋଇଥିଲା, ସେଥିରେ ଥିବା ରେଡିଓ ସଂଯୋଗ ଯୋଗୁଁ। ମାର୍କୋନିଙ୍କ କଂପାନି ପକ୍ଷରୁ ନିଯୁକ୍ତ ବ୍ରାଇଡ୍ ନାମକ ରେଡିଓ ଅପରେଟର୍ ‘ଟାଇଟାନିକ୍’ରେ କାମ କରୁଥିଲେ। ତାଙ୍କ ଦ୍ବାରା ପ୍ରେରିତ ରେଡିଓ ବାର୍ତ୍ତା ପାଇ କିଛି ଦୂରରେ ଥିବା ‘କାର୍ପାଥିଆ’ ଜାହାଜ ଦୁର୍ଘଟନା ସ୍ଥଳୀରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ବ୍ୟକ୍ତିଗତ ଜୀବନରେ ସେ ପ୍ରଥମେ ବିଏଟ୍ରିସ୍ ଓ’ବ୍ରିୟେନ୍ଙ୍କୁ ବିବାହ କରିଥିଲେ। ତାହା ପରେ ମାରିଆ କ୍ରିସ୍ଟିନାଙ୍କୁ। ଦ୍ବିତୀୟ ବିବାହ ବେଳେ ଦ୍ବିତୀୟ ପତ୍ନୀଙ୍କଠାରୁ ସେ ସତେଇଶ ବର୍ଷ ବଡ଼ ଥିଲେ। କୌଣସି ଅଜଣା କାରଣରୁ ଦ୍ବିତୀୟ ପତ୍ନୀ ଓ କନ୍ୟାଙ୍କୁ ନିଜର ସମସ୍ତ ସ˚ପତ୍ତିର ଉତ୍ତରାଧିକାରୀ କରିଥିଲେ। ସେ ଇଟାଲିର ଫାସିବାଦି ଗୋଷ୍ଠୀର ଅନ୍ଧ ସମର୍ଥକ ଥିଲେ। ୨୫ ଏପ୍ରିଲ୍ ୧୮୭୪ରେ ସେ ଇଟାଲିର ବୋଲୋଗ୍ନାରେ ଜନ୍ମ ହୋଇଥିଲେ। ମାର୍କୋନିଙ୍କ ଏକ ପରିଚୟ ହେଉଛି, ମାତା ଆନି ଜେମ୍ସନ୍ଙ୍କ ଆଡ଼ୁ ସେ ବିଶ୍ବ ପ୍ରସିଦ୍ଧ ଆଇରିସ୍ ସୁରା ନିର୍ମାତା ‘ଜେମ୍ସନ୍ ଆଇରିସ୍ ହ୍ବିସ୍କି’ର ପ୍ରତିଷ୍ଠାତା ଜନ୍ ଜେମ୍ସନ୍ଙ୍କ ପଣ-ନାତି। ମୃତ୍ୟୁର ତିନି ବର୍ଷ ପୂର୍ବରୁ ମାର୍କୋନି ନଅ ଥର ହୃଦ୍ଘାତ ଭୋଗିଥିଲେ। ୨୦ ଜୁଲାଇ ୧୯୩୭ରେ ଦଶମ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିଲା। ଚନ୍ଦ୍ରର ଏକ ବିଶାଳ ଗର୍ତ୍ତ, ତାଙ୍କ ନାମାନୁଯାୟୀ ‘୧୩୩୨ ମାର୍କୋନିଆ’ ଭାବେ ନାମିତ।