ଭାରତର ସୁପ୍ରସିଦ୍ଧ ସ˚ସ୍କୃତ କବିଙ୍କ ମଧ୍ୟରେ ଲଳିତକବି ଜୟଦେବ ଅନ୍ୟତମ। ଓଡ଼ିଶାର ସୋମବ˚ଶୀ ରାଜା ଯଯାତି କେଶରୀ ଏକଦା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ବେଷଣ କରୁକରୁ ପ୍ରାଚୀ ଓ କୁଶଭଦ୍ରା ନଦୀ ମଧ୍ୟସ୍ଥ ବିସ୍ତୃତ ଅଞ୍ଚଳରେ ଏକ ବିଶାଳ କେନ୍ଦୁ ଓ ବେଲ ଗଛର ସ˚ଯୋଗ ଦେଖି, ସେଠାରେ ଏକ ଗ୍ରାମ ବସାଇଥିଲେ। ବୃକ୍ଷ ତଳେ ଥିବା ପ୍ରାଚୀନ ଶିବ ଲିଙ୍ଗକୁ ‘ମୁକ୍ତେଶ୍ବର’ ଭାବେ ନାମିତ କରିଥିଲେ। ନବ-ପ୍ରତିଷ୍ଠିତ ଗ୍ରାମ ‘କେନ୍ଦୁବିଲ୍ବ ଶାସନ’ ଭାବେ ନାମିତ ହୋଇଥିଲା। ଏହି ଗ୍ରାମର ଅଧିପତି ଥିଲେ ଜୟଦେବଙ୍କ ପିତା ଭୋଜଦେବ। ଦ୍ବାଦଶ ଶତାବ୍ଦୀରେ କୌଣସି ଏକ ସମୟରେ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାରେ ଜୟଦେବ କେନ୍ଦୁବିଲ୍ବରେ ଭୂମିଷ୍ଠ ହୋଇଥିବା ବିଶ୍ବାସ କରାଯାଏ। ମହୀପତି ରଚିତ ‘ଭକ୍ତ ବିଜୟ’ ଗ୍ରନ୍ଥରେ ଏହା ଉଲ୍ଲେଖିତ। ତେବେ ବଙ୍ଗୀୟମାନେ ଜୟଦେବ ଆଧୁନିକ ପଶ୍ଚିମ ବଙ୍ଗ ଅନ୍ତର୍ଗତ ବର୍ଦ୍ଧମାନ ଜିଲ୍ଲାର ଅଜୟ ନଦୀ କୂଳରେ ଥିବା କେନ୍ଦୁଲୀ ଗ୍ରାମରେ ଜନ୍ମ ହୋଇଥିବା ବିଶ୍ବାସ କରନ୍ତି। କେତେକ ଗବେଷକଙ୍କ ମତରେ ଏହା ଏକ ଐତିହାସିକ ପ୍ରମାଦ।
ଜୟଦେବଙ୍କ ‘ଗୀତଗୋବିନ୍ଦ’ ସ˚ସ୍କୃତ ସାହିତ୍ୟର ପ୍ରଥମ ଓ ସର୍ବୋତ୍କୃଷ୍ଟ ଗୀତିକାବ୍ୟ। ବୃନ୍ଦାବନରେ ଶ୍ରୀକୃଷ୍ଣ ଓ ରାଧାଙ୍କ ଲୀଳାକୁ ନେଇ ଏହା ରଚିତ। ଏହା କବିତା, ଗୀତ, ନାଟ୍ୟପ୍ରେମ, ଭକ୍ତି ଓ ଶୃଙ୍ଗାରର ଅପୂର୍ବ ସମନ୍ବୟ ଗ୍ରନ୍ଥ। ଏହା ଦ୍ବାରା ସମଗ୍ର ଭାରତବର୍ଷର କବି/କବୀମାନେ ଗଭୀର ଭାବେ ପ୍ରଭାବିତ ହୋଇଆସିଛନ୍ତି।
ଜୟଦେବ ଦେଖିବାକୁ ଅତି ସୁନ୍ଦର ଥିଲେ। ଶୈଶବରେ ସହପାଠୀ ତଥା ଘନିଷ୍ଠ ବନ୍ଧୁ ପରାଶରଙ୍କ ସହ ସମୟ କଟୁଥିଲା। ଚାରି ବର୍ଷ ବୟସରେ ପିତା ଏବ˚ ପନ୍ଦର ବର୍ଷ ବୟସରେ ମାତାଙ୍କୁ ହରାଇବା ପରେ ସେ ଭୁବନେଶ୍ବର ଆସି ବଡ଼ ଭଉଣୀ ଲୀଳାଙ୍କ ଘରେ ରହିଥିଲେ। କିଛି କାଳ ପରେ ପୁରୀ ଆସି ମାମୁ ପିଣ୍ତିକ ମିଶ୍ରଙ୍କ ଘରେ ରହିଥିଲେ। ପୁରୀରେ ହିଁ ପୁରାଣ ପାଠ, ସାହିତ୍ୟ ଚର୍ଚ୍ଚା, ବୀଣା-ପଖୋଜ-ମନ୍ଦରା ବାଦନ, ନୃତ୍ୟ, ଗାୟନ ଆଦି ଆରମ୍ଭ ହୋଇଥିଲା।