Sunday, October 25, 2020
Home ଖବର ଏକ ଦୁର୍ଭିକ୍ଷର କାହାଣୀ..ଯେଉଁଥିରେ ଯାଇଥିଲା ଅଧା ଓଡ଼ିଆଙ୍କ ଜୀବନ..ତଥାପି ଏ ଜାତି ବଞ୍ଚିଛି ..ଆଉ ଏ...

ଏକ ଦୁର୍ଭିକ୍ଷର କାହାଣୀ..ଯେଉଁଥିରେ ଯାଇଥିଲା ଅଧା ଓଡ଼ିଆଙ୍କ ଜୀବନ..ତଥାପି ଏ ଜାତି ବଞ୍ଚିଛି ..ଆଉ ଏ କରୋନା ଏମିତି କଣ ଯେ..ଆମକୁ ବଳେଇଯିବ!!!

ଏ ପୋଷ୍ଟ କହିବ ୧୫୫ ବର୍ଷ ତଳ ର ଗଦା ଗଦା ପ୍ରମାଣ ଥିବା ଗୋଟେ ଇତିହାସ ର କଥା।

ସେଦିନ ଥିଲା ଅକ୍ଷୟ ତୃତୀୟା ଆଉ ଦିନକ ତଳେ ଯାଇଛି ସେହି ଅକ୍ଷୟ ତୃତୀୟା ।
୧୮୬୬ ନ’ଅଙ୍କ ଦୁର୍ଭିକ୍ଷ । #John_Beams ଙ୍କ History Of Odisha ପୁସ୍ତକ ର ବର୍ଣନା ଅନୁସାରେ ଓଡିଶା ଜନସଂଖ୍ୟା ର ୫୦ ପ୍ରତିଶତ ଜନତାଙ୍କୁ ଏକା ଖାଇଥିଲା ଏଇ ଗୋଟିଏ ମଡ଼କ।

ଓଡିଶା ର ଗାଁ ଗଣ୍ଡାରେ ଭୋକିଲା କଙ୍କାଳ ମାନଙ୍କ ପଟୁଆର।ଚାରି ଆଡ଼େ” ଅନ୍ନ ଦେହୀ “ଅନ୍ନ ଦେହୀ” ର ଡାକରା। ନଈ ରେ ପାଣି ନାହିଁ।କ୍ଷେତ ରେ ଫସଲ ନାହିଁ। ଭୋକ ବିକଳ କାଙ୍ଗାଳୀ ମଣିଷ ର ଆଉ ଗୋଟିଏ କାଙ୍ଗାଳୀ କୁ ବିକଳ ପ୍ରଶ୍ନ-ଆମ ଆଡେ ଗଛ ରେ ପତ୍ର ନାହିଁ। ତୁମ ଆଡେ ଅଛି ନା ଭାଇ? ବିଚରା ସାମ୍ନା ଲୋକ ର ବି ସେଇ ଛାତିଫଟା ଉତ୍ତର-ପତ୍ର କଥା ଛାଡ ,ଗଛ ବୁର୍ଚ୍ଛ ରେ କୋଉଠି ନେଳି ଟିକେ ପରା ନାହିଁ। ଯାଜପୁର କଇଁଆଗୋଲା ରେ ଗୋଟେ ମାଇପି ଲୋକ ହାତରେ ଶୀଳ ପୁଆ ଟେ ଧରି ଘଡ଼ିଏ ଛେଚିଲା ତା ଥନକୁ।ଲହୁ ଲୁହାଣ ହେଉଥାଏ। ତଥାପି ଛେଚି ଚାଲୁଥାଏ। ରକତ ମାଉଁସ ସବୁ ପିଚିକି ପଡୁଥାଏ ଶୀଳ ପୁଆ ର ଚାରି ପଟକୁ। ଆତ୍ମହତ୍ୟା ର ଏ ଅଭିନବ ତରିକା କଥା ବ୍ରିଟିଶ କେବେ ଭାବିନଥିଲା।ଆଉ ଶେଷରେ ବ୍ରିଟିଶ ସରକାର ଏହାର ଯୋଉ କାରଣ ପାଖରେ ପହଞ୍ଚିଥିଲା।ତାହା ଛାତି ଥରେଇଦେଇଥିଲା ସଭିଙ୍କର। ମା ଟା ପ୍ରକୃତ ରେ ଆତ୍ମହତ୍ୟା କରୁନଥିଲା। ବରଂ କ୍ଷୀର ଖୋଜୁଥିଲା । ଶୁକୁ ଶୁକୁ ହଉଥିବା ଛ’ମାସ ର ପିଲା ର ଶୋଷ ମାରିବାକୁ କାଳେ ଏ ଶୁଖିଲା ଥନ ର କୋଉ କୋଣ ରେ ବିନ୍ଦୁଏ କ୍ଷୀର ବଳିଥିବ। ଢୋକେ ପଡିଗଲେ ଧନ ଟା ମୋର ବଂଚିଯିବ । କିନ୍ତୁ ମାସ ମାସ ଧରି ଖାଇ ନଥିବା ମା ‘ଟି ର ଛାତିରୁ ଶୁଖିଲା ରକ୍ତ ବିନ୍ଦୁ ଛାଡି ଦେଲେ ସେଦିନ ଆଉ କିଛି ବି ଝରି ନଥିଲା। ଯୋବ୍ରା ଖୁଣ୍ଟି ପାଖରେ ହୁକା ଟାଣୁ ଟାଣୁ ନିଜ ଜାମାତାଙ୍କୁ John Beam ପଚାରିଲେ-ଏଇଟା କଣ ସତ?ସୈତାନ ଜାମାତାଜଣକ ଉତ୍ତର ଦେଲେ-ମିଲଟନ ସାହେବ ନାମକ ଜଣେ ବାଜେ ଇଂରାଜୀ ସାମ୍ବାଦିକ ର ଖବର ଏଇଟା,ignore it.

(ସେତେ ବେଳକୁ John Beams ନେପାଳ ସୀମାନ୍ତ ର ଚମ୍ପାରଣ ଜିଲ୍ଲା ର ମାଜିଷ୍ଟ୍ରେଟ, କିନ୍ତୁ ଦୁର୍ଭିକ୍ଷ ର ସ୍ଥିତି ଅନୁଧ୍ୟାନ କରିବାକୁ ବ୍ରିଟିଶ କାଉନସିଲ ତରଫରୁ କଟକ କୁ ନିମନ୍ତ୍ରିତ,ପରେ ସେ ୧୮୭୩ ରେ କଟକ ର ମାଜିଷ୍ଟ୍ରେଟ ହୋଇ ଜଏନ କରିଥିଲେ। Memoirs Of A Bengal Civilian ଓ History Of Odisha ତାଙ୍କର ଦୁଇ ମହତ ରଚନା)

ଏଣେ ଓଡିଶା ର ପରିସ୍ଥିତି ବିପନ୍ନ ହେବାକୁ ଲାଗିଥିଲା। ତେଣେ ଶବ ବୁହାଇ ବୁହାଇ ଲୋକଙ୍କ କାନ୍ଧରୁ ଚୋପା ଛାଡି ଯାଉଥିଲା। ପୁଣି ଶବ ବୁହାଉଥିବା ମଣିଷଟିଏ ଅଧ ଘଣ୍ଟା ପରେ ନିଜେ ଶବ ହେଇ ଯାଉଥିଲା।

ଏମିତି ବି ହେଉଥିଲା,ଯେତେ ବେଳେ ଘର ର ପୁଅ ଘର ଲୋକଙ୍କ ଆହାର ପାଇଁ ବାଉଁଶ ବଣ କୁ ବାଉଁଶ ପତ୍ର ପାଇଁ ଧାଉଁ ଥିଲା,ସେତେବେଳେ ବୋପା ଟା ପୁଅ କୁ ଡାକି କହୁଥିଲା-ବୋହୁ ନାତିଙ୍କ ପାଇଁ ବାଉଁଶ ପତ୍ର ଆଣିବାକୁ ଯାଉଛୁ ଟି? ତା ଆଗରୁ ମୋତେ ଟିକେ ଘୋଷାରି ଘୋଷାରି ମଶାଣି ଯାଏଁ ନେଇଯା। ସେଇବାଟେ ଫୋପାଡ଼ି ଦେଇ ଚାଲିଯିବୁ। ତୁ ଘରେ ନଥିବୁ, ମୁଁ ମଲେ ମୋତେ ମଶାଣି ଯାଏଁ କିଏ ନେଇକି ଯିବ?ହଁ, ଆଟୁ ଉପରେ ଲୁଚେଇକି ଏତିକି ଜଇନ୍ତା ପତ୍ର ଥୋଇଛି, ସାନ ନାତି କୁ ଦେଇଦେବୁ ,ହେଲା? ଧ’ଧ’ଏ ବାଁ ପଟ ଗୋଡ ଟାକୁ ଧରି ଘୋଷାର। ହେ ମହାପ୍ରଭୁ ! କି ଅସମୟ ଦେଇଥିଲ ଏ ଜାତିକୁ?ଭଦ୍ରକ ର ଗୋହିରୀ ଟିକରା ରୁ ଏ ରିପୋର୍ଟ ଦେଇଥିବା ମିଲଟନ ସାହେବ ଙ୍କୁ ଥଟ୍ଟା କରିଥିଲା ବ୍ରିଟିଶ କାଉନସିଲ। ଓଡିଶା ରେ ରହି ଥିଏଟର କରନି। କଲିକତା ଯାଅ, ବେଶି ବ୍ରିଟିଶ ବାବୁ ବାବୁଆ ଦର୍ଶକ ପାଇବ।ଚତୁର୍ଥ ସ୍ତମ୍ଭ ର କି କଣ୍ଠ ରୋଧ 1866 ରେ? ଭାବିଲେ ବି ଭାବି ହେଉନି।

କ୍ରମଶଃ ମୃତ୍ୟୁ ସହିତ ଗୋଟେ କମ୍ବଳ ତଳେ ଶୋଇବାକୁ ପ୍ରସ୍ତୁତ ହେଉଥିଲା ଜାତି। ପୁରୁଣା ଜଗନ୍ନାଥ ସଡକ ର ଦୁଇପାଖରେ ମାଳ ମାଳ ଶବ ର ରୋଷଣୀ। ଭୋକିଲା ମଣିଷ ଆଉ କୁଢ଼ କୁଢ଼ ଶବ ଙ୍କ ସଢା ଗନ୍ଧ ରେ ସତେ ଅବା ନର୍କ ଏ ଭୂମି। ଧୂଳି ଧୁସରିତ, ଅଶିକ୍ଷା ଅନ୍ଧାର ରେ ଆର୍ଦ୍ର ଏ ଭୂମି କେବଳ ଚାରି ଆଡ଼େ ମୃତ୍ୟୁ ର ତାଣ୍ଡବ ହିଁ ଦେଖୁଥିଲା।

ଠିକ ଏତିକି ବେଳେ ମରି ମରି ଜୀବନ ଜିଉଁଥିବା ଦଳେ ଲୋକ ଭାବିଲେ-ମରିଗଲେଣି ଆମ ପୁଅ ପାତି, ମରିଗଲେଣି ସାଙ୍ଗ ସାଥୀ ,କାଲି ସକାଳେ ଆମେ ବି ମରିବା। ଯଦି ମରିବା ସତ, ତାହେଲେ ଆଉ ଏଠି କାହିଁକି?ଚାଲ ରେ ଭୋକିଲା ଦଳ, ସଭିଏଁ ଧାଇଁବା ଶ୍ରୀକ୍ଷେତ୍ର ଆଡକୁ। ପେଡି ପୁଟୁଳି ଚୁଡା ଚାଉଳ ତ ନେବାର ନାହିଁ, ଏ ଦେହ ଉପରେ ଜୀବନ ର ବୋଝ ମୁଣ୍ଡେଇ ଧାଇଁ ଯିବା ବଡ ଦାଣ୍ଡକୁ। ସୁଖା ହାଡ, ସୁକୁଟା ରକ୍ତ, ଆଉ ପୋଡା ମନ କୁ ଏକାଠି କରି ଚାହିଁବା ନୀଳ ଚକ୍ରକୁ। ଡାକିବା -‘ଦାନା କନା ପଛେ ମନା ହେଉ ମୋତେ ନୀଳଚକ୍ର ବାନା ଚାହିଁ ହେ”। ଏ କଥା ବ୍ୟାପି ଗଲା ଗାଁ ଗଣ୍ଡା। ସବୁ ଗାଁର କଙ୍କାଳ ଦଳ ଓଲହେଇ ପଡିଲେ ପୁରୁଣା ଜଗନ୍ନାଥ ସଡକ କୁ। ମରିବା ଆଗରୁ ଆସ, ଦେଖିନେବା ଆମ ସାତ ଗଣ୍ଠି ସାଇତା ସମ୍ପତ୍ତି କୁ। ପେଟ ରେ ପେଟେ ଭୋକ ଧରି ଚାହିଁବା ତା ପତିତ ପାବନ ନେତ କୁ।ହୁସିଆର, କେହି ଚାହିଁବନି ତା ପେଜନଳ। ଆଡକୁ।ହାତ ପାତି ମାଗିବାନି ଅବଢ଼ା ମୁଠାଏ।

ମାଗିଲେ ମାଗିବା ଏ ଶବ ଦଳଙ୍କୁ ମୁକ୍ତି ଦେ।ତୋ ପତିତ ପାବନ କୁ ଚାହିଁବାର ଭାଗ୍ୟ ଦେ। ଲକ୍ଷ ଲକ୍ଷ ଜନତା ର ପଟୁଆର। ଜନତା ନୁହଁ, କାଙ୍ଗାଳୀ ଙ୍କ ପଟୁଆର। କାଙ୍ଗାଳୀ ନୁହଁ ଶବ ମାନଙ୍କ ପଟୁଆର।ମେଦିନୀ ପୁର ରୁ ଚନ୍ଦନ ପୁର।ବାଟରେ ମା ହାତରେ ଛୁଆ ମଲାଣି। ସ୍ତ୍ରୀ କୋଳରେ ସ୍ୱାମୀ। ତଥାପି ଅପରାହତ ଏ ଯାତ୍ରା। ତତ୍କାଳୀନ ପୁରୀ ର ପ୍ରଶାସକ ବାଲ୍ଟିଅର ସାହେବ ଚିନ୍ତିତ। ଜନ୍ଦା ପିମ୍ପୁଡି ଙ୍କ ପରି ଭୋକିଲା ଙ୍କ ଭିଡ ହେଲା ବଡ଼ ଦାଣ୍ଡରେ। ଲକ୍ଷେ ଲକ୍ଷେ ବୁଭୁକ୍ଷ୍ୟୁ। କାହିଁକି ଆସିଛନ୍ତି ଏମାନେ?କଣ ପାଇଁ ?? ଆରେ ତମେ ମାନେ ଖାଇବାକୁ ଆସିଛ ?

-ନାଁ ନାଁ ଖାଇବାକୁ ଆସିନୁ, ମରିବା ଆଗରୁ ଦେଖିବାକୁ ଆସିଛୁ। ସେଇ କାଠ ଗଡ଼ କୁ ଦେଖିଦେବୁ। ତା ନୀଳ ଚକ୍ରକୁ ଚାହିଁ ଆଖିବୁଜି ଦେବୁ, ବାସ ଭୋକିଲା ଓଡ଼ିଆ ଙ୍କର ରୋକ ଠୋକ ଉତ୍ତର।

-କି ପାଗଳ ଏଗୁଡା, ଗଜପତି କୁଆଡେ ଗଲେ ?? ଡାକ, ଡାକ ତାଙ୍କୁ।
ବାଲ୍ଟିଅର ର ନିର୍ଦ୍ଧେଶ ।
ଗଜପତି ଦିବ୍ୟସିଂହ ଦେବ ନିରୁପାୟ ହେଇ ଠିଆ ହେଇଛନ୍ତି। ବାଲ୍ଟିଅର ସାହେବ ର ନିର୍ଦେଶ-ମନ୍ଦିର ଆଗରେ ଭୋକିଲା ମାନଙ୍କ ସାଧାରଣ ସଭା କର। ସେଇଠି ଘୋଷଣା କରି ଦେବା ,ଆଜି ଠୁ କେହି ଭୋକିଲା ମରିବେନି। ମନ୍ଦିର ରେ କାଠ ଖଣ୍ଡ ଖାଉଥିବା କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ବଡ଼ଦାଣ୍ଡରେ ଏ କାଙ୍ଗାଳୀ ମାନଙ୍କୁ ଦାନ ହେବ।ଲକ୍ଷେ ଲକ୍ଷେ ଭୋକିଲା ଙ୍କ ଉପସ୍ଥିତି । ଘୋଷଣା କଲେ ବାଲ୍ଟିଅର-ଆଜିଠୁ କାଠଗଡ଼ ର ଖାଇବା ତୁମକୁ ଦିଆଯିବ। ଖୁସୀ ହୁଅ, ଖୁସୀ ହୁଅରେ ଭୋକିଲା। ସଭା ଚୁପ, ଗଜପତି ଚୁପ, କାଙ୍ଗାଳୀ ଦଳ ବି ଚୁପ । ଆରେ କଣ ହେଇଛି ? ଖୁସୀ ହୁଅ, ମାସ ମାସ ଧରି ଖାଇନ ପରା।ନାଚ, ଗାଅ,ଆତସବାଜି କର । ବଂଚି ଗଲ, ତୁମକୁ ଜୀବନ ମିଳିଗଲା ରେ।
-ରହିଯାଆ ରେ ଫିରିଙ୍ଗି । ବୀରା ଦର୍ପ ରେ ପଛ ପଟୁ ଠିଆ ହେଲା ଗୋଟେ ବୁଢ଼ୀ । କହିଲା -ଭାତ ନପାଇ ମୋ ବଡ଼ ପୁତା ପଛୁ ମରୁ ରେ,ମୁଁ ଆଣ୍ଠୁକୁଡି ହେବି। ମୋ ଘଇତା ମରୁ, ମୁଁ ଏଇଠୁ ରାଣ୍ଡ ହେଇ ଗାଁକୁ ଲେଉଟିବି, ମୋ ନାତି ନାତୁଣୀ ମରନ୍ତୁ, ହେଲେ ମୋ କାଳିଆ ଧନ କୁ ଉପାସ ରଖିବା କଥା କହନି ,ତାକୁ ଯଦି କେହି ଉପାସ ରଖିବ, ତା ଛାତିରୁ କଳା କଳିଜା ଛିଣ୍ଡେଇ ଆଣିବି ମୁଁ। ତା ତଂଟିରେ ଦାନ୍ତ ବସେଇ ଦେବି। ଏବେ ବୁଢ଼ୀ ସହିତ ସ୍ୱର ମିଳେଇଲେ ଲକ୍ଷେ ଲକ୍ଷେ କାଙ୍ଗାଳୀ- ଯାଅ ତମେ । ଆମ ବଂଚିବା ମରିବା ଦାଇତ୍ୱ ତାର। ଜନମ ସିଏ ଦେଇଛି। ମରିବାକୁ ଶ୍ରୀକ୍ଷେତ୍ର ର ଭୂମି ଦେଇଛି। ଆମେ ମଲେ ଆମର ଦୁଃଖ ନାହିଁ। ଆମ କାଳିଆ ଧନ, ସେମିତି ବସିଥାଉ ରତ୍ନ ସିଂହାସନ ଉପରେ, ଖାଉଥାଉ ଷାଠିଏ ପଉଠି। ଆମ ମୁହଁରେ ହସ ନଥିଲେ ନଥାଉ, କିନ୍ତୁ କାଳିଆ ମୁହଁ ରେ ସେମିତି ଫୁଟୁଥାଉ ହସ ର ଫୁଲ କଢି। ଧନ ରେ! ପୁଅ ମଲା, ପୁତୁରା ଗଲାଣି, ବୁଢା ଟା ଶୁକୁ ଶୁକୁ ହେଉଛି। ଆଲୋ ଛୁଆ କୁ ଝୁରି ଝୁରି ସେପଟେ ପରିଡା ଘର ନୂଆ ବୋହୁ ମଲା ନା କଣ ? କିଏ ଅଛ ଲୋ ? ଅହ୍ୟରାଣୀ ସିଏ। ତା ପାଇଁ ହୁଳ ହୁଳି ଦିଅ। ଇଲୋ ତା ପାଦରେ ଟିକେ ଅଳତା ବୋଳ ବା, କିଏ ଅଛ ବୋଳ । ଏମିତି ଅନେକ ଶବ୍ଦ ମିଳେଇ ଯାଉଥିଲା ଶ୍ରୀକ୍ଷେତ୍ର ର ପବନ ରେ।

ଫେରି ଯାଇଥିଲେ ଗଜପତି ଆଉ ବାଲ୍ଟିଅର।
ଭୋକିଲା ଆଉ ଶବ ମାନଙ୍କ ଗହଣ ରେ କୁହୁଲୁ ଥିଲା ଶ୍ରୀକ୍ଷେତ୍ର ର ରାତି । ମଲା ନାତି କୁ ଧରି ନାହାକ ବୁଢ଼ୀ ବାହୁନୁ ଥିଲା ସେଇ ଗୁଣ୍ଡିଚା ରାଣୀ ର ଗୀତ

 "ଯେତେ ଦଉଥିବି ସେତେ ଖାଉଥିବୁ
                ନଶୁଖିବ ତୋର ହାତ

ଲୋକେ କହୁଥିବେ ଖାଇବା ଠାକୁର
ନୀଳା ଚଳେ ଜଗନ୍ନାଥ’।

ସତେ ଅବା ସେମାନେ ଖତେଇ ହେଉଥିଲେ ମହାପ୍ରଭୁଙ୍କୁ । ଭୋକିଲା ଦଳ ଙ୍କ ଆଖିକୁ ନିଦ ଘାରି ଆସୁଥିଲା । କେହି କେହି ମରଣ ର ଭୟ ରେ କାନ୍ଦୁଥିଲେ ଗୁମୁରି ଗୁମୁରି । ଓଡ଼ିଆ ଜାତି ର ଏ ଜଗନ୍ନାଥ ପ୍ରିତୀ ଦେଖି ମହାପ୍ରଭୁ ଙ୍କୁ ଭାରି ଦୋଷୀ ଲାଗିଲା ବୋଧେ । ସେ ରାତି ର ଆକାଶ ରେ ଏକାଠି ହେଲେ ଚାରିମେଘ । ମେଘ ର ପଟୁଆର ରେ ତୁରୀ ଫୁଙ୍କିଲା ଘଡଘଡି, ଆଲୋକ ର ଛତ୍ରୀ ଧରିଲା ବିଜୁଳୀ । ସତେ ଅବା ଶହେ ଜନ୍ମାଷ୍ଟମୀ ଏକାଠି ହେଇଗଲେ ଗୋଟିଏ ତିଥିରେ । ବର୍ଷେ କାଳ ବର୍ଷା ଦେଖି ନଥିବା ଓଡ଼ିଆ ଜାତି,ଚାତକ ହେଇ ଭିଜିଲା ବଡ ଦାଣ୍ଡରେ।ଗଗନ ପବନ ମୁଖରିତ ହେଲା ଜୟ ଜଗନ୍ନାଥ ଧ୍ୱନୀ ରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ । କହିବା ବାହୁଲ୍ୟ ସେଦିନ ର ତିଥୀ ଏଇ ଅଖିତୃତୀୟା ହିଁ ଥିଲା । ଗୋଟିଏ ରାତି ବଦଳେଇଥିଲା ଗୋଟିଏ ଜାତିର ଭାଗ୍ୟ।

୧୫୫ ବର୍ଷ ପରେ ଆଉ ଗୋଟେ ଅକ୍ଷୟ ତୃତୀୟା

କରୋନାର କାଳଛାୟା ତଳେ ଭୟଭୀତ ସଭିଏଁ, ଗୃହବନ୍ଦୀ ଅଖିଳ ବିଶ୍ୱ, କିନ୍ତୁ ଓଡ଼ିଆ ଡରିନି। ସେ ଜାଣିଚି ତା ମହାପ୍ରଭୁ ତା ସାଙ୍ଗରେ ଅଛନ୍ତି।

ସେଦିନ ଭଳି ଆଜି କୃପାବର୍ଷା କରିଦେବେ। ରଖିବେ ଏ ଜାତିର ଅଖଣ୍ଡ ବିଶ୍ୱାସ। ରଥକାଠ ଅନୁକୂଳ କରି ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ରଥ ଚଢ଼ିବେ। ଛାତି ରେ ହାତ ବାଡେଇ କହି କହି ଯିବେ, ଏମିତି କେତେ ଅସମୟ ମୁଁ ଦେଖିଚି। ସକଳ ଅସମୟରୁ ଉଦ୍ଧାର କରିଛି ଏଜାତିକୁ।

ଏବେ ଏ ଘନ ବିପତ୍ତି ରୁ ଉଦ୍ଧାର କରହେ ଘନଶ୍ୟାମ।
ମେଲେଇ ଦିଅ ବିପୁଳ ଭୁଜ।
ଗାଁ ବରଗଛ ପରି ଦି’ଟା ଏଡ଼େ ଏଡ଼େ ବାହାରେ କୋଳପୋଛା ପୁଅ ପରି କୋଳେଇ ନିଅ କୋଟି କୋଟି ଓଡ଼ିଆଙ୍କୁ।

ସାଆନ୍ତେ!
ଓ ସାଆନ୍ତେ!!
ମଣିମା…..!!!

ଓଡ଼ିଆ ଜାତିର ଅଖଣ୍ଡ ବିଶ୍ୱାସର ମୂଲ୍ୟ ଦିଅ ହେ ମଣିମା।
ମହାପ୍ରଭୁ…. ମହାପ୍ରଭୁ…. ମହାପ୍ରଭୁ

ଜୟ_ଜଗନ୍ନାଥ

ନରସିଂହ ପଣ୍ଡା, ଲେଖକ

©NARASINGHA PANDA PURI ODISHA

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...