ଜାଣନ୍ତୁ ପ୍ରସିଦ୍ଧ ଚିତ୍ରକଳା ‘ମୋନା ଲିସା’ର ସ୍ରଷ୍ଟା ଡା ଭିନ୍ଚିଙ୍କୁ.. ଆଜି ଶ୍ରାଦ୍ଧ ଦିବସ..
ଇଟାଲୀୟ ଚିତ୍ରଶିଳ୍ପୀ ଲିଓନାର୍ଡ୍ ଡୋ ସର୍ ଡା ଭିନ୍ଚି ୧୫୦୩-୦୬ ମଧ୍ୟରେ ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଛବି ‘ମୋନା ଲିସା’ ସୃଷ୍ଟି କରିଥିଲେ। ‘ମୋନା ଲିସା’କୁ ଫ୍ଲୋରେନ୍ସର ବ୍ୟବସାୟୀ ଫ୍ରାନ୍ସିସ୍କୋ ଡେଲ୍ ଜିଓକୋନ୍ଡୋଙ୍କ ତୃତୀୟ ପତ୍ନୀ ଲିସା ଡି ନୋଲ୍ଡୋ ଘେରାର୍ଡିନିଙ୍କ ପ୍ରତିକୃତି ଭାବେ ଗ୍ରହଣ କରାଯାଇଛି। ‘ମୋନା ଲିସା’ ଛବିର ଭୂରୁ ନାହିଁ। କାରଣ ସେ ସମୟରେ ସ˚ଭ୍ରାନ୍ତ ଇଟାଲୀୟ ମହିଳାମାନେ ଭୂରୁକୁ କ୍ଷୌର କରିପକାଉଥିଲେ। ଡା ଭିନ୍ଚି ଚାରି ବର୍ଷ ପରିଶ୍ରମ କରି, ଲିସାଙ୍କ ପ୍ରତିକୃତି ସ˚ପୂର୍ଣ୍ଣ କଲା ପରେ, ଜିଓକୋନ୍ଡୋ କିଣିବାକୁ ରାଜିହୋଇ ନ ଥିଲେ। ତେଣୁ, ସେଇଟିକୁ ଫ୍ରାନ୍ସର ରାଜା ପ୍ରଥମ ଫ୍ରାନ୍ସିସ୍ଙ୍କୁ ବିକିଦେଇଥିଲେ। ‘ମୋନା ଲିସା’ ବାବାଦକୁ ତାଙ୍କୁ ମିଳିଥିଲା ଚଉଦ କିଲୋଗ୍ରାମ୍ ସୁନା।
ଡା ଭିନ୍ଚିଙ୍କର ବହୁ ବିଦ୍ୟାରେ ପ୍ରବେଶ ଥିଲା; ଯଥା- ସ୍ଥପତି ବିଦ୍ୟା, ଭାସ୍କର୍ଯ୍ୟ ବିଦ୍ୟା, ସଂଗୀତ, ଗଣିତ, ଯନ୍ତ୍ର ବିଜ୍ଞାନ, ସାହିତ୍ୟ, ଶରୀର ବିଜ୍ଞାନ, ଭୂତତ୍ତ୍ବ, ଉଦ୍ଭିଦ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ। ସେ ଥିଲେ ଏକଧାରରେ ଚିତ୍ରଶିଳ୍ପୀ, ଭାସ୍କର, ସ˚ଗୀତଜ୍ଞ, କବି, ଯନ୍ତ୍ରୀ, ଶରୀର ବିଜ୍ଞାନୀ, ଉଦ୍ଭିଦ ବିଜ୍ଞାନୀ, ଭୂତତ୍ତ୍ବବିତ୍, ଜ୍ୟୋତିର୍ବିଜ୍ଞାନୀ ଓ ଦାର୍ଶନିକ। ଆଲାର୍ମ୍ ଘଣ୍ଟା, ବଲ୍ ବିଅରିଙ୍ଗ୍, ଆକାଶଛତା, ଟେଲିସ୍କୋପ୍ ଆଦି ସେ ତିଆରିକରିଥିବା ବିଶ୍ବାସ କରାଯାଏ। ହେଲିକପ୍ଟର୍, ବୁଡ଼ାଜାହାଜ, ମୋଟର୍ ଗାଡ଼ି, ମେସିନ୍ ଗନ୍, ଝୁଲା ପୋଲ ଆଦି ସ˚ପର୍କରେ ସେ ପ୍ରଥମେ ଧାରଣା ଦେଇଥିଲେ। ସେ ଗୁଡ଼ିଏ ରଙ୍ଗିନ ଛବି ସୃଷ୍ଟି କରିଥିଲେ ହେଁ ମାତ୍ର ପନ୍ଦରଟି ଏ ପର୍ଯ୍ୟନ୍ତ ତିଷ୍ଠିରହିପାରିଛି। ତାଙ୍କର ଅନ୍ୟତମ ପ୍ରସିଦ୍ଧ ଛବି ‘ଦ ଲାଷ୍ଟ୍ ସପର୍’ ମିଲାନ୍ର ଷ୍ଟା ମାରିୟା ଡେଲ୍ ଗ୍ରେଜି ମଠ କାନ୍ଥରେ ଶୋଭା ପାଉଛି। ସକାଳୁ ସନ୍ଧ୍ୟା ପ୍ରାୟ ଦୁଇ ବର୍ଷର ଶ୍ରମର ଫଳ ଏହି ଛବି। ‘ଲେଡି ଉଇଥ୍ ଆନ୍ ଏର୍ମିନ୍’, ‘ଭର୍ଜିନ୍ ଅଫ୍ ଦ ରକ୍ସ’, ‘ଦ ଭିଟ୍ରୁଭିଆନ୍ ମ୍ୟାନ୍’, ‘ସାଲ୍ଭେଟୋର୍ ମୁନ୍ଡି’ ଆଦି ତାଙ୍କର ଅନ୍ୟ ପ୍ରସିଦ୍ଧ ଛବି।
୧୪୫୨ ଏପ୍ରିଲ୍ ୧୫ରେ ଫ୍ଲୋରେନ୍ସ ଅନ୍ତର୍ଗତ ଭିନ୍ଚିରେ ସେ ଜନ୍ମ ହୋଇଥିଲେ। ପିତା ପିଏରୋ ଡା ଭିନ୍ଚି ଥିଲେ ଆଇନଜୀବୀ। ମାତା କାଟ୍ରିନା ଥିଲେ ଅଶିକ୍ଷିତା କୃଷକ କନ୍ୟା। ଦୁହିଁଙ୍କ ଅବୈଧ ମିଳନରୁ ଡା ଭିନ୍ଚି ଜାତ ହୋଇଥିଲେ। ତାଙ୍କ ପିତା ପରେ ଚାରି ଚାରି ଥର ବିବାହ କରିଥିଲେ। ଉକ୍ତ ବିବାହଗୁଡ଼ିକରୁ ଜାତ, ଡା ଭିନ୍ଚିଙ୍କ ଭାଇ-ଭଉଣୀଙ୍କ ସଂଖ୍ୟା ଥିଲା ବାର। ତାଙ୍କୁ ଚାଳିଶ ବର୍ଷ ହୋଇଥିବା ବେଳେ, ତାଙ୍କ ପିତା ଶେଷ ଥର ପାଇଁ ବାପା େହାଇଥିଲେ। ଡା ଭିନ୍ଚି କେବଳ ପ୍ରାଥମିକ ସ୍ତରର ଶିକ୍ଷା ଲାଭକରିଥିଲେ। ସେ ଦୀର୍ଘକାୟ ଓ ଅତି ବଳିଷ୍ଠ ଥିଲେ। ଘୋଡ଼ାନାଲ, ଲୁହା କୁଣ୍ତଳ ଆଦିକୁ ହାତରେ ଚିପି ବଙ୍କାଇପାରୁଥିଲେ। ଧନି-ଗରିବ ନିର୍ବିଶେଷରେ ଯୋଗ୍ୟତା ଥିବା ସଭିଁଙ୍କୁ ସେ ଖାଦ୍ୟ ଓ ଆଶ୍ରୟ ଦେଉଥିଲେ। ସେ ବାମହାତୀ ଓ ଶାକାହାରୀ ଥିଲେ। ପଶୁ-ପକ୍ଷୀଙ୍କୁ ଭଲପାଉଥିଲେ। ଚଢ଼େଇ କିଣି ଉଡ଼ାଇଦେଉଥିଲେ। ସେ ଆଜୀବନ ଅବିବାହିତ ଥିଲେ। ସେ ସମଲିଙ୍ଗୀ ଥିବା ବିଶ୍ବାସ କରାଯାଏ। ଏପରିକି ଏକଦା ତାଙ୍କ ବିରୋଧରେ ଏକ ସମଲିଙ୍ଗୀ ଯୌନ-ସ˚ପର୍କ ମାମଲା ଦାଏର ହୋଇଥିଲା। ସେ ଓ ତାଙ୍କର ଚାରି ଜଣ ବନ୍ଧୁ ଜଣେ ପୁରୁଷ-ବେଶ୍ୟାଙ୍କୁ ଉପଭୋଗ କରିିଥିବା ଅଭିଯୋଗ ଅଦାଲତ ଯାଏ ଯାଇଥିଲା। ତେବେ, ପ୍ରମାଣ ଅଭାବରୁ ସେମାନେ ଖଲାସ ହୋଇଥିଲେ। ସେତେ ବେଳେ ତାଙ୍କୁ ଚବିଶ ବର୍ଷ ହୋଇଥିଲା। ସେ କବିତା, ଗପ, ପହଳି ଆଦି ଲେଖୁଥିଲେ। ତେବେ, ସେଗୁଡ଼ିକ ପ୍ରକାଶ କରି ନ ଥିଲେ। ମାକିୟାଭେଲିଙ୍କ ସହ ତାଙ୍କର ବନ୍ଧୁତା ଥିଲା। ସାମସମୟିକ ଶିଳ୍ପୀ ମିଚେଲ୍ଆଞ୍ଜେଲୋଙ୍କୁ ସେ ଅତିଶୟ ଘୃଣା କରୁଥିଲେ। ୨ ମେ ୧୫୧୯ରେ ଫ୍ରାନ୍ସରେ ଡା ଭିନ୍ଚିଙ୍କର ପରଲୋକ ହୋଇଥିଲା।