‘ଭାରତ ରତ୍ନ’ ଜାକିର ହୁସୈନ
ଭାରତର ତୃତୀୟ ରାଷ୍ଟ୍ରପତି ଜାକିର ହୁସୈନ ଖାନଙ୍କ କାର୍ଯ୍ୟକାଳ ଥିଲା ୧୩ ମେ ୧୯୬୭ରୁ ୩ ମେ ୧୯୬୯। ନିଜ କାର୍ଯ୍ୟକାଳ ପୂରିବା ପୂର୍ବରୁ ପଦରେ ଥାଇ ୩ ମେ ୧୯୬୯ରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା। ସେ ପଦରେ ଅବସ୍ଥାପିତ ଥିବା ବେଳେ ପ୍ରାଣ ହରାଇଥିବା ଭାରତର ପ୍ରଥମ ରାଷ୍ଟ୍ରପତି। ୧୯୫୭-୬୨ ସେ ବିହାରର ରାଜ୍ୟପାଳ ଏବ˚ ୧୯୬୨-୬୭ ଭାରତର ଉପ-ରାଷ୍ଟ୍ରପତି ଥିଲେ। ସେ ‘ଜାମିୟା ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟ’ର ସହ-ପ୍ରତିଷ୍ଠାତା ଥିଲେ ଏବ˚ ୧୯୨୮ରେ ଏହି ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବ ବହନ କରିଥିଲେ। ଏହି ବିଶ୍ବବିଦ୍ୟାଳୟ ପରିସରରେ ତାଙ୍କର ସମାଧି ରହିଛି। ୧୯୬୩ରେ ତାଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା।
୮ ଫେବ୍ରୁଆରି ୧୮୯୭ରେ ହୈଦରାବାଦର ଏକ ପଶତୂନ ମୁସଲମାନ ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ପୂର୍ବଜମାନେ ପ˚ଜାବର ମୂଳ ବାସିନ୍ଦା ଥିଲେ। ଊନବି˚ଶ ଶତାବ୍ଦୀରେ ସେମାନେ ଜୀବିକା ଅନ୍ବେଷଣରେ ଦକ୍ଷିଣ ଭାରତ ଆସିଥିଲେ। ଜାକିରଙ୍କ ଉତ୍ତର-ଶୈଶବରେ, ତାଙ୍କ ପରିବାର ବାସସ୍ଥାନ ପରିବର୍ତ୍ତନ କରିଥିଲା। ଜାକିର ବଢ଼ିଥିଲେ, ଉତ୍ତର ପ୍ରଦେଶ ଅନ୍ତର୍ଗତ ଫର୍ରୂଖାବାଦର କାୟମଗ˚ଜରେ। ପରିବାରର ସାତ ପୁତ୍ରଙ୍କ ମଧ୍ୟରେ ସେ ଦ୍ବିତୀୟ ଥିଲେ। ତାଙ୍କ ଭାଇ ମହମ୍ମଦ ହୁସୈନ, ଜିନ୍ନା ତଥା ମୁସଲିମ ଲିଗର ସମର୍ଥକ ଥିଲେ। ବିଭାଜନ ସମୟରେ ପରିବାରର ଅଧିକା˚ଶ ସଦସ୍ୟ ପାକିସ୍ତାନ ଚାଲିଯାଇଥିଲେ। ତେବେ ଜାକିର ଓ ସାନ ଭାଇ ୟୁସୁଫ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କ˚ଗ୍ରେସ୍ ଦଳ ସହ ଦୁହିଁଙ୍କର ଉତ୍ତମ ସ˚ପର୍କ ଥିଲା ଏବ˚ ଦୁହେଁ ମହାତ୍ମା ଗାନ୍ଧୀ ଓ ନେହରୁଙ୍କ ଅନୁଗାମୀ ଥିଲେ।
ଜାକିର ଶୈଶବରେ ପିତାଙ୍କୁ ଏବ˚ କୈଶୋରରେ ମାତାଙ୍କୁ ହରାଇଥିଲେ। ଇଲାହାବାଦ ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ପଢ଼ୁଥିବା ବେଳେ ସେ ଛାତ୍ର-ନେତା ଥିଲେ। ୧୯୨୬ରେ ବର୍ଲିନ୍ସ୍ଥିତ ଫ୍ରେଡ୍ରିକ୍ ଉଇଲିଅମ୍ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଡକ୍ଟରେଟ୍ ଲାଭକରିଥିଲେ। ୧୯୧୫ରେ ଶାହଜହଁା ବେଗମଙ୍କ ସହ ତାଙ୍କର ବିବାହ ହୋଇଥିଲା। ୧୯୨୦ରେ ଜାକିର ଛାତ୍ର ଥିବା ବେଳେ ଅନ୍ୟ କିଛି ଛାତ୍ର ଓ ଶିକ୍ଷକଙ୍କ ସହ ମିଶି ଅଲୀଗଢ଼ରେ ‘ନେସ୍ନାଲ୍ ମୁସଲିମ ୟୁନିଭର୍ସିଟି’ ସ୍ଥାପନ କରିଥିଲେ। ଉକ୍ତ ବିଶ୍ବବିଦ୍ୟାଳୟ ୧୯୨୫ରେ ଦିଲ୍ଲୀର କରୋଲବାଗ ଅଞ୍ଚଳକୁ ଉଠିଆସିଥିଲା। ୧୯୩୫ରେ ଦିଲ୍ଲୀର ଜାମିୟା ନଗରରେ ସ୍ଥାୟୀ ରୂପ ନେବା ସହ ନାମ ବଦଳି ‘ଜାମିୟା ମିଲିୟା ଇସଲାମିୟା’ ହୋଇଥିଲା। ୧୯୨୭ ବେଳକୁ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ସେତେ ବେଳେ ପରିଚାଳନା ଭାର ଗ୍ରହଣ କରିଥିଲେ ଜାକିର ଏବ˚ ପ୍ରାୟ ଏକୋଇଶ ବର୍ଷ ଲାଗିରହି, ଏହାର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସ୍ବାଧୀନତା ପରେ ସେ ‘ଅଲୀଗଢ଼ ମୁସଲିମ ୟୁନିଭର୍ସିଟି’ର କୁଳପତି ନିଯୁକ୍ତ ହୋଇଥିଲେ। ସେତେ ବେଳେ ଏହି ବିଶ୍ବବିଦ୍ୟାଳୟ ପାକିସ୍ତାନର ସମର୍ଥକ ଭାବେ କୁଖ୍ୟାତି ଅର୍ଜନ କରିଥିଲା। କାରଣ, ଏହାର ଅନେକ ଛାତ୍ର ଓ ଶିକ୍ଷକ ପାକିସ୍ତାନ ଗଠନକୁ ସମର୍ଥନ ଦେଇଥିଲେ। ଜାକିର ଏହାର କୁଳପତି ଭାବେ ଯୋଗଦେବା ପରେ ନାନା ସ˚ସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିଥିଲେ।