କର୍ଣ୍ଣାଟକର ମାଣ୍ଡ୍ୟା ସହରର ଏକ ଛୋଟ ଜଳଖିଆ ଦୋକାନ ଘରର ଅଧା କାନ୍ଥରେ ବସି ରୋଗୀ ଦେଖୁଥିବା ଏ ଡାକ୍ତରଙ୍କ ନାଁ ଶଙ୍କର ଗୌଡ଼ ।
ସେ କୌଣସି କ୍ଲିନିକ ବା ନର୍ସିଂ ହୋମ ସହ ସଂଯୁକ୍ତ ନୁହନ୍ତି କି ତାଙ୍କର କୌଣସି ନିଜସ୍ୱ ଚ୍ୟାମ୍ବର ନାହିଁ ।
ହସ୍ପିଟାଲ, ନର୍ସିଂ ହୋମ ବା କ୍ଲିନିକ ସହ ସଂଯୁକ୍ତ ହେଲେ ବା ନିଜର ଏକ ସୁଦୃଶ୍ୟ ସୁସଜ୍ଜିତ ଚ୍ୟାମ୍ବରଟିଏ କଲେ ସେ ବେଶୀ ପଇସା ପାଇ ପାରନ୍ତେ ନିଶ୍ଚୟ !
ମାତ୍ର ସେପରି ହେଲେ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ମଧ୍ୟ ସ୍ୱଚ୍ଛଳ ବର୍ଗର ହେବା ସବୁଠୁଁ ପ୍ରାଥମିକ ଆବଶ୍ୟକତା, ଯାହା ଏକଦା ଡାକ୍ତର ହେବାକୁ ସେ କରିଥିବା ଜୀବନର ଲକ୍ଷ୍ୟର ବଡ଼ ପରିପନ୍ଥୀ ।
ନିଜେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ ଡାକ୍ତର ଶଙ୍କର ଗୌଡ଼ ଏବଂ ଦରିଦ୍ର ହୋଇଥିବା କାରଣରୁ ସ୍କୁଲରେ ପଢ଼ୁଥିବା ବେଳେ ନିଜ ଅଳ୍ପବୟସ୍କ ଅସୁସ୍ଥ ବାପାଙ୍କୁ ବିନା ଚିକିତ୍ସାରେ ହରାଇ ବସିଥିଲେ । ସେଦିନ ବାପାଙ୍କ ଶବକୁ ଶ୍ମଶାନରେ ଦାହ କରିବା ପୂର୍ବରୁ ଅନ୍ୟ କୋଉ ଦରିଦ୍ର ପିତାଙ୍କୁ ଅକାଳରେ ବିନା ଚିକିତ୍ସାରେ ଝଡ଼ିଯିବାକୁ ନ ଦେବା ପାଇଁ ପ୍ରତିଜ୍ଞା କରିଥିଲେ ।
ନିଜ ଦାରିଦ୍ର୍ୟ ବିରୋଧରେ ଲଢ଼ି ବଡ଼ କଷ୍ଟରେ ସେ ଡାକ୍ତର ହୋଇଥିଲେ । ସରକାରୀ ଚାକିରୀ କରିବାପାଇଁ ବା ଅନ୍ୟ କୌଣସି ଘରୋଇ ଚିକିତ୍ସାଳୟ ସହ ସଂଯୁକ୍ତ ହେବାପାଇଁ ଯଥେଷ୍ଟ ସୁଯୋଗ ଥିଲେ ବି ସେ ନିଜ ପିତାଙ୍କ ମୃତ୍ୟୁଶଯ୍ୟା ନିକଟରେ କରିଥିବା ଶପଥକୁ ମନେ ପକାଇ ଏଥିରୁ ନିବୃତ୍ତ ରହିଥିଲେ । ବାସ୍, ପରେ ପରେ ଆରମ୍ଭ ହୋଇଥିଲା ଶପଥ ରକ୍ଷା ଦିଗରେ ତାଙ୍କର ଏ ଅଭିନବ ଯାତ୍ରା, ଯାହା ସହିତ ସେ ଅର୍ଜନ କରିଥିଲେ ସମଗ୍ର ଇଲାକାରେ 'ପାଞ୍ଚଟଙ୍କିଆ ଡାକ୍ତର' ଭାବେ ଏକ ଅନନ୍ୟ ପରିଚୟ ,ଏକ ଅସାଧାରଣ ପ୍ରତିଷ୍ଠା ।
ପ୍ରତିଦିନ ସକାଳ ଆଠଟାରେ ଖୋଲି ଯାଇଥାଏ ଡାକ୍ତର ଗୌଡ଼ଙ୍କ ପାଞ୍ଚଟଙ୍କିଆ କ୍ଲିନିକ । ଯେଉଁମାନେ ଦୁଇଶହରୁ ପାଞ୍ଚଶହ ପର୍ଯ୍ୟନ୍ତ ଡାକ୍ତରୀ ଫିସ ଦେବାକୁ ସମ୍ପୂର୍ଣ୍ଣ ଅସମର୍ଥ, ସେମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଯାଆନ୍ତି ଏହି ଅପୂର୍ବ କ୍ଲିନିକରେ । ଡାକ୍ତର ଗୌଡ଼ ଜଣ ଜଣ କରି ରୋଗୀ ଦେଖି ସ୍ୱଳ୍ପ ମୂଲ୍ୟର ସୁଲଭ ଜେନେରିକ ଔଷଧର ବ୍ୟବସ୍ଥାପତ୍ର ଲେଖି ଦିଅନ୍ତି । ସମସ୍ତଙ୍କଠୁଁ ପାଞ୍ଚଟଙ୍କା ଲେଖାଏଁ ଫିସ ନିଅନ୍ତି,କେବଳ ବୁଢ଼ା ବୁଢ଼ୀ ଓ ଭିକାରୀମାନଙ୍କୁ ଛାଡ଼ି ।
କାହାକୁ ରୋଗ ହେଲେ ଯେଉଁଠି କିଛି ଡାକ୍ତରଙ୍କୁ ଶୋଷଣ କରିବାର ଏକ ସୁବର୍ଣ୍ଣ ସୁଯୋଗ ମିଳିଯାଏ , ଯେଉଁଠି ମୃତ୍ୟୁର ଭୟ ଦେଖାଇ ଜୀବନକୁ ସବୁମତେ ଲୁଣ୍ଠନ କରାଯାଏ, ସେଠି ଡାକ୍ତର ଶଙ୍କର ଗୌଡ଼ଙ୍କ ଭଳି କେତେଜଣ ଅଛନ୍ତି ବୋଲି ତ ଏ ସଂସାର ସୁନ୍ଦର ଲାଗୁଛି । ସକଳ ଦୁଃଖ ଯାତନା ସତ୍ତ୍ୱେ ବି ଜୀବନ ଲାଗୁଛି ତଥାପି ଅପରିବର୍ଜନୀୟ ।