ଅଟ୍ରି ହଟକେଶ୍ୱରରେ ଭିକ୍ଷା କରି ମନ୍ଦିର ନିର୍ମାଣ କଲେ ଦିବ୍ୟାଙ୍ଗ ..
ଖୋର୍ଦ୍ଧା, ତା୧୬/୭- ଭାଗବତରେ ଲେଖାଅଛି ପଙ୍ଗୁ ଲଂଘୟତେ ଗିରି ବନ୍ଦେ ପରମାନନ୍ଦ ମାଧଵମ । ଜଣେ ଦିବ୍ୟାଙ୍ଗ ଜୀବନର ଶେଷ ପାହାଚରେ ଉପନୀତ ହୋଇଥିଲେ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ନିଜେ ଭିକ୍ଷା ବୃତ୍ତି କରି କାହାର ସହଯୋଗ ନନେଇ ବାଘମାରି ପଞ୍ଚାୟତର ଅଟ୍ରି ସ୍ଥିତ ବାବା ହଟକେଶ୍ୱର ମନ୍ଦିର ପରିସରରେ ଶନି ମନ୍ଦିର ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଏହି ଦିବ୍ୟାଙ୍ଗ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଦିବ୍ୟାଙ୍ଗ ରଘୁ ରାଉତ(୭୦) । ପିଲାଦିନରୁ ବହୁ ଘାତ ପ୍ରତିଘାତ ସତ୍ୱେ ନିଜେ ଭିକ୍ଷା ବୃତ୍ତିକୁ ଆପଣାଇ ଜୀବନ ନିର୍ବାହ କରିଆସୁଥିଲେ ।ଜୀବନରେ ଗୋଟିଏ ମନ୍ଦିର ନିର୍ମାଣ କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ଭିକ୍ଷା ବୃତିରୁ ମିଳୁଥିବା ଲବ୍ଧଅର୍ଥକୁ ସଞ୍ଚୟ କରି ରଖୁଥିଲେ । ସେ ଭିକ୍ଷା ବୃତି କରି ୧୦ ବର୍ଷରୁ ଉର୍ଧ୍ବ ହେବ ହଟକେଶ୍ଵର ପୀଠରେ ପହଁଚି ଥିଲେ ମଧ୍ୟ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ନିଜର ସାହା ଭରସା କେହି ନ ଥିବାରୁ ମନ୍ଦିର ପରିସରରେ ଜଣେ ଧର୍ମ ପରାୟଣ ମହିଳାଙ୍କୁ ଧର୍ମ ଭଉଣୀ କରି ରହିଆସୁଛନ୍ତି । ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ହଟକେଶ୍ଵର ମନ୍ଦିର ପରିସରରେ ଏକ ଶନି ମନ୍ଦିର ଏବେ ନିର୍ମାଣଧିନ ରହିଥିବା ବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଘୁ ନିଜର ଲବ୍ଧ ଅର୍ଥରେ ମନ୍ଦିର ନିର୍ମାଣ କରିଥିବାରୁ ଭାରି ଖୁସି ହୋଇଥିବାର ଦେଖିବାକୁ ମିଳୁଛି ।