ଧଳାପଥର ପରଦା ଶିଳ୍ପ ଉପରେ ପଡିଛି ପରଦା,ନାହିଁ ସରକାରୀ ପ୍ରୋତ୍ସାହନ..କଲବଲ ଶିଳ୍ପୀ..
ଖୋର୍ଦ୍ଧା, ତା ୧୬/୬- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମରେ ଦିନ ଥିଲା ଯାହାକି ବୁଣାକାର ଶିଳ୍ପୀମାନେ ସୂତାର ପରଦାରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର କୋଣାର୍କ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର ,ଗଣେଶ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାତୁଳସୀ ଗଛ ଉପରେ ହିନ୍ଦୁ ନାରୀଟିଏ ପାଣି ଦେଉଥିବାର ଦୃଶ୍ୟ,ନୃତ୍ୟାୟନ ଛନ୍ଦରେ ନର୍ତ୍ତକୀ,ତାଜମହଲ, ଘୋଡା ଭାଲୁ,ବାଘ ଓ ବିଭିନ୍ନ ଦେବାଦେବୀ,ମନ୍ଦିର ଗୁଡିକୁ ସୁକ୍ଷ୍ମ ଓ ରଙ୍ଗ ବେରଙ୍ଗ ଚାରୁକଳାରେ ପରିପୂର୍ଣ୍ଣ ପରଦା କଳାର ଚାହିଦା ରହିଥିଲା ।
ଏହି ପରଦା କଳାର ଚାହିଦା ଜିଲ୍ଲା ତଥା ବାହାର ରାଜ୍ୟରେ ଚାହିଦା ରହିଥିବା ବେଳେ ବହୁ କାରିଗର ଶିଳ୍ପଟିକୁ ଆପଣେଇ ଏବେ ବିଭିନ୍ନ କାରଣ ଯୋଗୁ ଏହା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଛି ।ସରକାରୀ ପ୍ରୋତ୍ସାହନ,କଞ୍ଚା ମାଲର ଅଭାବ ଓ ବଜାର ଚାହିଦାର ଅଭାବ ଯୋଗୁ କାରିଗର ମାନେ ମୁହଁ ଫେରାଇବା ପାଇଁ ବାଧ୍ୟ ହୋଇଛନ୍ତି । ଏହି ଶିଳ୍ପ ପ୍ରତି ରାଜ୍ୟ ସରକାର ଓ ବୟନ ଶିଳ୍ପ ବିଭାଗ ଯଥେଷ୍ଟ ଯତ୍ନବାନ ହୋଇ ଚେଷ୍ଟା କଲେ ବିରଳ ପରଦା କଳା ପୁନରୁଦ୍ଧାର ହୋଇପାରନ୍ତା ।
ପୂର୍ବରୁ ବୁଣାକାର ମାନେ ରଙ୍ଗ ବେରଙ୍ଗର ସୂତାଶାଢୀ ଓ ଗାମୁଛାର ଚାହିଦା ରହିଥିବା ବେଳେ ନିଜର ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇଥିଲେ।ସେମାନଙ୍କ ହାତବୁଣା। କଙ୍କଡ଼,ଫୁଲପେଡି,ଅକଟା, କୁସୁମୀ ଓ ମୁକ୍ତପୁଞ୍ଜି ଶାଢ଼ୀ ନୟାଗଡ଼,କଟକ, ସୋନପୁରବାରିପଦା ଓ ବାହାର ରାଜ୍ୟ ମଧ୍ୟପ୍ରଦେଶ ସମେତ ବିଭିନ୍ନ ସହର ,ରାଜ୍ୟ,ଜିଲା ଓ ହାଟ ମେଳାରେ ପ୍ରଦର୍ଶନୀ ମାଧ୍ୟମରେ ବହୁତ ଆଦୃତି ଲାଭ କରିଥିଲା ।
ଏହି ବୁଣାକାର ମାନେ ପ୍ରାକୃତିକ ଉପାୟରେ ହରିଡା,ଜାମୁ ଓ ସୁନାରୀ ଗଛର ଛେଲିକୁ ସଂଗ୍ରହ କରି ରଙ୍ଗ ପ୍ରସ୍ତୁତ କରିଥାନ୍ତି । ତେବେ ଵର୍ତମାନର ବଜାରରେ ଆଧୁନିକ ଉପାୟରେ ଶସ୍ତାରେ ନିର୍ମିତ ଶାଢ଼ୀ ମିଳୁଥିବାରୁ ଏହି ସୂତା ଶାଢ଼ୀର ଚାହିଦା କମି ଯାଇଛି ।ଏହା ଫଳରେ ବଜାରରେ ଏଭଳି ମାନ୍ଦା ପରିସ୍ଥିତି ସୃଷ୍ଟି ହେବାରୁ ୨ ଶହରୁ ୩ ଶହ ବୁଣାକାରମାନେ ହାତବାନ୍ଧି ନିଜର କାରିଗରୀ ବିଦ୍ୟାଛାଡି ଦେଇ ଅନ୍ୟ ବୃତି ଆପଣାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ୧୦ରୁ ୧୨ ପରିବାର ନିଜର କୌଳିକ ବୃତ୍ତିକୁ ଆଦରି ପଡି ରହିଛନ୍ତି । ସରକାରଙ୍କ ପକ୍ଷରୁ ଏହାକୁ ପୁନରୁଦ୍ଧାର କରାଗଲେ ପୁଣି ଥରେ ପରଦା କଳା ଚାହିଦା ବଢି ପାରନ୍ତା ବୋଲି ବୁଦ୍ଧିଜୀବୀ ତଥା କାରିଗର ମାନେ ଆଶା କରିଛନ୍ତି ।
ଏହି ପରଦା କଳାର ସ୍ରଷ୍ଟା ଶିଳ୍ପୀ ଉଦୟ ନାଥ ସାହୁ । ୧୯୪୬ ମସିହାରେ ତତ୍କାଳୀନ ଗଭର୍ଣ୍ଣର ସାର ଉଇଲିୟମ ହାଓଥୋନ ଲୁଇସଙ୍କ ଠାରୁ ସମ୍ମାନ ପ୍ରାପ୍ତ କରିବା ସହ ବନାରସର ମଧ୍ୟ ଖଦି ବୋର୍ଡ ସମେତ ବିଭିନ୍ନ ସ୍ଥାନରୁ ମାନପତ୍ର ପାଇଛନ୍ତି । ପରେ ତାଙ୍କରି ଉଦ୍ୟମରେ ଧଳାପଥରରେ ଏକ ତନ୍ତୁ ସମବାୟ ସମିତି ଖୋଲା ଯାଇଥିଲା । ଏହି ସ୍ରଷ୍ଟାଙ୍କର ଆସନ୍ତାକାଲି ଶ୍ରାଦ୍ଧ ବାର୍ଷିକ ପାଳନ କରାଯିବ ।