ପରିତ୍ୟକ୍ତ ଅବସ୍ଥାରେ ପଡିଛି ବେଗୁନିଆ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ
ଖୋର୍ଦ୍ଧା, ତା୧୬/୬- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଟି ପରିତ୍ୟକ୍ତ ଅବସ୍ଥାରେ ରହି ଭୂତ କୋଠିରେ ପରିଣତ ହୋଇଥିବାର ଦେଖିବାକୁ ମିଳୁଛି ।ଏହି କାର୍ଯ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟର ଅବସ୍ଥା ଗାଁ ନିର୍ମଳ ଧୋବା ତୁଠରୁ ଭଳି ଜଣା ପଡିବା ସହ ରାସ୍ତା ଓ ଗୃହ ନିର୍ମାଣ କିପରି ହେଉଥିବ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।ଏହାର ପରିସରଟି ଅନାଵନା ଘାସ, ଗୁଳ୍ମ ଓ ଗଛରେ ପରିପୂର୍ଣ୍ଣ ହୋଇ ଜୀବଜନ୍ତୁଙ୍କ ଚରାଭୁଇଁ ପାଲଟିଛି ।ଏହି କାର୍ଯ୍ୟାଳୟକୁ କୌଣସି କାର୍ଯ୍ୟ ନେଇ ଗଲେ ମଧ୍ୟ କର୍ମଚାରୀ ମାନଙ୍କ ସହ ସହକାରୀ ଯନ୍ତ୍ରୀଙ୍କୁ ପ୍ରାୟ ଅଧିକାଂଶ ସମୟରେ ଦେଖିବାକୁ ନ ମିଳିବା ସହ ମୁଖ୍ୟ ଫାଟକରେ ତାଲା ପକା ହୋଇଥିବାର ଦେଖିବାକୁ ମିଳୁଛି । ଏହାର ପରିସର ମଧ୍ୟରେ ଏକ ଘରର ଆଜବେଷ୍ଟସ ଠାରୁ ଆରମ୍ଭ କରି କବାଟ ଝରକା ପର୍ଯ୍ୟନ୍ତ ଖୋଲି କରି କେହି ଖୋଲିକରି ନେଇଯାଇଅଛି ।
ସହକାରୀ ଯନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଗୃହଟି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ନିର୍ମାଣ କରାଯାଇଥିଲେ ମଧ୍ୟ କେହି ନରହିବାରୁ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଉଇ ହୁଙ୍କା ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡିଛି ।ଏହି ଗୃହ ଓ ରାସ୍ତା ନିର୍ମାଣ କାର୍ଯ୍ୟ ସହକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ବେଗୁନିଆ-ଲୋଧାଚୁଆ ୧୨ କିମିରୁ ଉର୍ଦ୍ଧ୍ବ ରାସ୍ତାଟି ନାବାର୍ଡ ପକ୍ଷରୁ ୧୨ କୋଟି ଟଙ୍କାର ଅଟକଳ ମୂଲ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକାଦାରଙ୍କ ସୁପରଭାଇଜର ତଦାରଖ କରୁଛନ୍ତି । ସହକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତର ସୁଯୋଗ ନେଇ କାର୍ଯ୍ୟର ମାନ କିପରି ହେଉଥିବ ସ୍ପଷ୍ଟ ଜଣାପଡୁଛି ।