୪ ଟଙ୍କା ଲୁଚାଇ ଗାନ୍ଧିଜୀଙ୍କଠୁ ଗାଳି ଖାଇଥିଲେ ତାଙ୍କ ପତ୍ନୀ କସ୍ତୁରବା..ପଢ଼ନ୍ତୁ ପୁରା କାହାଣୀ
କିଛି ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଆଶ୍ରମକୁ ଦାନ ସୂତ୍ରରେ ଦିଆଯାଇଥିବା ମାତ୍ର ୪ ଟଙ୍କା ନିଜ ପାଖରେ ଲୁଚାଇ ରଖିଥିବାରୁ ଗାନ୍ଧିଜୀଙ୍କଠୁ ଢେର ଗାଳି ଖାଇଥିଲେ ପତ୍ନୀ କସ୍ତୁରବା । ନିଜ ପାଖରେ ଧନ ଆତ୍ମଗୋପନ କରି ରଖିବା ଏକ ଅପରାଧ, ଯାହା ପାଇଁ କସ୍ତୁରବାଙ୍କୁ ସମସ୍ତଙ୍କ ଆଗରେ କ୍ଷମା ପ୍ରାର୍ଥନ କରିବାକୁ ଗାନ୍ଧିଜୀ ନିର୍ଦେଶ ଦେଇଥିଲେ । କସ୍ତୁରବା ମଧ୍ୟ ସ୍ୱାମୀଙ୍କ ନିର୍ଦେଶ ମାନି କ୍ଷମା ମାଗିଥିଲେ । ଏହା କୌଣସି ଶୁଣାକଥା ନୁହେଁ, ନିଜେ ଗାନ୍ଧିଜୀ ୧୯୨୯ ମସିହାରେ ନବ ଜୀବନ ପତ୍ରିକାରେ ଏକ ସ୍ତମ୍ଭ ଲେଖି ଏକଥା ଉଲ୍ଲେଖ କରିଥିଲେ ।
‘ମାଇଁ ସରୋ, ମାଇଁ ସେମ୍ (ମୋ ଦୁଃଖ, ମୋ ଲଜ୍ଜା) ଶୀର୍ଷକ ଏହି ସ୍ତମ୍ଭରେ ଗାନ୍ଧିଜୀ ଉଲ୍ଲେଖ କରିଥିଲେ, କାହିଁକି ସେ ଏପରି ଏକ ସ୍ତମ୍ଭ ଲେଖିବାକୁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଥିଲେ । ଗାନ୍ଧିଜୀ ଲେଖିଥିଲେ, ‘ଆଜି ଯଦି ମୁଁ କଥା ଲେଖିବି ନାହିଁ, ତାହେଲେ ମୁଁ ନିଜେ ହିଁ ମୋ ନିଜ ଦାୟିତ୍ୱବୋଧକୁ ଅବଜ୍ଞା କରିବା ପରି ମନେହେବ ।’
ନିଜ ପତ୍ନୀ କସ୍ତୁରବାଙ୍କ ସମ୍ପର୍କରେ ଲେଖିବା ପୂର୍ବରୁ ଗାନ୍ଧିଜୀ ଉକ୍ତ ସ୍ତମ୍ଭର ପ୍ରାରମ୍ଭରେ ଏହା ଉଲ୍ଲେଖ କରିଥିଲେ ।
ତା ପରେ ଗାନ୍ଧିଜୀ ଲେଖିଥିଲେ, ‘ କସ୍ତୁରବାଙ୍କର ଅନେକ ଭଲଗୁଣ ରହିଛି, ତଥାପି ତାଙ୍କଠାରେ କିଛି ପଦାର୍ଥ ପାଇଁ ଦୁର୍ବଳତା ରହିଛି, ଯାହା ତାଙ୍କ ଭଲଗୁଣକୁ ଲୁଚାଇ ଦେଉଛି । କସ୍ତୁରବା ତାଙ୍କ ସମସ୍ତ ସମ୍ପତି ଦାନ କରି ମୋର ପତ୍ନୀ ହେବାର ଦାୟିତ୍ୱ ନିର୍ବାହ କରିଛନ୍ତି । ତେବେ ତାଙ୍କଠାରେ କିଛି ବସ୍ତୁବାଦୀ ଲୋଭ ମୁଁ ଦେଖିବାକୁ ପାଉଛି । ନିଜର ଏପରି ସ୍ୱୀକାରୋକ୍ତି ପଛରେ ଥିବା କାରଣ କହିବାକୁ ଯାଇ ଗାନ୍ଧିଜୀ ଉଲ୍ଲେଖ କରିଥିଲେ, ‘ଦୁଇବର୍ଷ ତଳେ ମୁଁ କସ୍ତୁରବାଙ୍କ ନିକଟରୁ ୨ ଶହ ଟଙ୍କା ଖୋଜି ପାଇଥିଲି । ଏହି ଟଙ୍କା କିଛି ବଦାନ୍ୟ ବ୍ୟକ୍ତି ଆଶ୍ରମକୁ ଦାନ ସୂତ୍ରରେ ଦେଇଥିଲେ । ତେବେ ଆଶ୍ରମର ନିୟମ କହୁଛି, ଏଠାରେ ରହୁଥିବା କେହିବି ନିଜ ପାଖରେ କିଛି ବି ଅର୍ଥ ରଖିପାରିବେ ନାହିଁ । ବ୍ୟକ୍ତିଗତ ଭାବେ ଦିଆଯାଇଥିବା ଟଙ୍କାକୁ ବି କେହି ନିଜ ପାଖରେ ନ ରଖି ଆଶ୍ରମକୁ ପ୍ରଦାନ କରିବା ପ୍ରଚଳିତ ନିୟମ । ତେବେ କସ୍ତୁରବା ନିଜ ପାଖରେ ଏହି ଟଙ୍କାକୁ ରଖି ନିୟମର ଖୋଲା ଉଲ୍ଲଂଘନ କରିଥିଲେ । ଆଶ୍ରମକୁ ଚୋର ପଶିବା ପରେ ହିଁ ମୁଁ ଜାଣିବାକୁ ପାଇଲି ଯେ, ଏଠାରେ କାହା ପାଖରେ ଟଙ୍କା ଅଛି । ତେବେ ଟଙ୍କା ଆତ୍ମଗୋପନ କରି ରଖିଥିବା ଲୋକ ଆଉ କେହିନୁହେଁ, ମୋ ପତ୍ନୀ କସ୍ତୁରବା ଜଣାପଡିବା ପରେ ମୁଁ ତତ୍କ୍ଷଣାତ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଥିଲି ।
ଗାନ୍ଧିଜୀ ଆହୁରି ଲେଖିଥିଲେ, ‘ ସେଦିନ ସେହି ଘଟଣା ପାଇଁ କସ୍ତୁରବା କ୍ଷମା ମାଗିଲା ପରେ ମୁଁ ଭାବୁଥିଲି ଏପରି ଘଟଣାର ଆଉ ପୁନରାବୃତି ହେବନାହିଁ । ତେବେ ତାଙ୍କ ହୃଦୟରେ ବାସ୍ତବ ପରିବର୍ତନ ଘଟି ନ ଥିଲା । ଟଙ୍କା ପ୍ରତି ତାଙ୍କ ମୋହ ସେମିତି ଅତୁଟ ଥିଲା । କିଛିଦିନ ତଳେ ଜଣେ ଅଜଣା ବ୍ୟକ୍ତି ଆଶ୍ରମକୁ ୪ ଟଙ୍କା ଦାନ ସୂତ୍ରରେ ଦେଇଥିଲେ । କସ୍ତୁରବା ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କଠୁ ଏହି ଟଙ୍କା ରଖିଥିଲେ । ତେବେ ସେ ଆଶ୍ରମକୁ ଟଙ୍କା ଦେଇଦେବା ବଦଳରେ ନିଜ ପାଖରେ ଏହାକୁ ଲୁଚାଇ ରଖିଥିଲେ, ଯାହା ଆଶ୍ରମର ନିୟମ ବିରୁଦ୍ଧ ଅଟେ । ତେକେ ଆଶ୍ରମର ଜଣେ ଅନ୍ତେବାସୀ ଏକଥା କହିବା ପରେ କସ୍ତୁରବା ଟଙ୍କା ଫେରାଇବା ସହ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ତାଙ୍କର ଏହି କ୍ଷମା ପ୍ରାର୍ଥନା ମୋତେ ପ୍ରଭାବିତ କରିପାରିଲା ନାହିଁ । ମୁଁ ତାଙ୍କୁ ସଫା ସଫା ଜଣାଇଦେଲି, ଯଦି ତାଙ୍କ ପାଖରେ ଟଙ୍କା ପ୍ରତି ଏମିତି ମୋହ ରହେ, ତେବେ ମୋତେ ଓ ଆଶ୍ରମକୁ ତ୍ୟାଗ କରିବାକୁ ହେବ । କସ୍ତୁରବାଙ୍କ ଏପରି ସ୍ୱୀକାରୋକ୍ତି ପରେ ଯାଇ ଆଶ୍ରମ ତାଙ୍କୁ କ୍ଷମା ପ୍ରଦାନ କରିଛି ।’
ତେବେ ଗାନ୍ଧିଜୀ ଯେ ଏହି ନିବନ୍ଧରେ ଖାଲି କସ୍ତୁରବାଙ୍କ ଦୋଷତ୍ରୁଟି ବିଷୟରେ ଲେଖିଥିଲେ, ସେକଥା ନୁହେଁ, ସେ ମଧ୍ୟ କସ୍ତୁରବାଙ୍କଠାରେ ଥିବା କିଛି ଭଲଗୁଣକୁ ବି ପ୍ରଶଂସା କରିଥିଲେ । ‘ମୁଁ ନିଶ୍ଚିତ ଯେ, ଗସ୍ତୁରବା ଜଣେ ପୁଣ୍ୟାତ୍ମା ମହିଳା । ସେ ମୋ ପାଇଁ ଅନେକ ତ୍ୟାଗ କରିଛନ୍ତି । ସେ ମତେ ସହଯୋଗ କରି ନ ଥିଲେ, ହୁଏତ ମୁଁ ଆଜି ମୋ ଜୀବନର ପୂର୍ଣ୍ଣତା ଲାଭ କରିପାରି ନ ଥାନ୍ତି ।’ ଉଲ୍ଲେଖ କରିଥିଲେ ଗାନ୍ଧିଜୀ ।
ପୁଣ୍ୟାତ୍ମା ମହାମାନବ ଗାନ୍ଧିଜୀଙ୍କ ଏପରି ଏକ କଥା ପଢିଲାବେଳେ ଆଜିର ତଥାକଥିତ ବଡ଼ଲୋକମାନେ ଆଖି ସାମ୍ନାରେ ଦଣ୍ଡାୟମାନ ହୁଅନ୍ତି । ଆଜିର ଏହି ସଭ୍ୟ ଦୁନିଆରେ ହାତ ଗଣତି ଏମିତି କିଛି ଲୋକ ଥିବେ, ଯେଉଁମାନେ ନିଜ କ୍ଷମତାର ଅପବ୍ୟବାହାର କରି ନିଜ ପତ୍ନୀଙ୍କୁ କୁବେର ସମ୍ପତିରେ ଛାଇଦେଇ ନ ଥିବେ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଠୁ ଆରମ୍ଭ କରି ପଂଚାୟତ ପ୍ରତିନିଧିଙ୍କ ଯାଏ, ଏମିତି ଉଦାହରଣର ଅଭାବ ନାହିଁ । (ଓଆ)